ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି କରି ଏହି ସୂଚନା ଦେଇଛି। ନାସାର ଉକ୍ତ ଫଟୋରେ ଚାଇନାର ମୁଖ୍ୟ ସହର ଉପରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ଥିବା ଦର୍ଶାଯାଇଛି। ଜାନୁୟାରୀ ୧,୨୦୨୦ ଓ ଫେବୃୟାରୀ ୧୦, ୨୦୨୦ ମଧ୍ୟରେ ଦୁଇଟି ଫଟୋରେ ପ୍ରଦୂଷଣର ମାତ୍ରାକୁ ତୁଳନା କରାଯାଇ ଦର୍ଶାଯାଇଛି। ନାସାର ବୈଜ୍ଞାନିକଙ୍କ ମତରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହେବାର ମୁଖ୍ୟ କାରଣ ହେଉଛି କମ୍‌ ପରିମାଣରେ ଯାନବାହାନ ଚଳାଚଳ ଓ ଉହାନ-ସାଂଘାଇ ଭଳି ସହରରେ ଆର୍ଥିକ କାରବାର କମ୍‌। ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ୍‌ ସେଣ୍ଟରର ଜଣେ ବୈଜ୍ଞାନିକ କହିଛନ୍ତି , ପ୍ରଥମଥର ପାଇଁ ଏକ ବିଶେଷ କାରଣ ଯୋଗୁ କିପରି ବାୟୁ ପ୍ରଦୂଷଣର ମାତ୍ରାରେ ସୁଧାର ଆସିଛି ତାହା ଦେଖାଯାଇଛି। ସୂଚନାଯୋଗ୍ୟ, ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହୋଇଥିଲା ହେଲେ ଏହା ଏବେ ଅପେକ୍ଷା କମ୍‌ ରହିଥିଲା। ତେବେ ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିବାରୁ ସେଠାକାର ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇଥିଲା। ଲୋକସଂଖ୍ୟା କମ୍‌ ହୋଇଯିବା ଓ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ହେବା ଫଳରେ ଯାନବାହାନ ଚଳାଚଳ ମଧ୍ୟ କମି ଯାଇଥିଲା। ସୂଚନାଯୋଗ୍ୟ, ଏବେସୁଦ୍ଧା ଚାଇନାରେ କରୋନା ଭାଇରସ ସଂକ୍ରମଣରେ ୨,୯୬୯ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୮୬,୨୭୫। ଆଉ ୩୯,୭୮୧ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି।

Share