Categories: ଜାତୀୟ

କାର୍ଟୁନ୍‌କୁ ନେଇ ବିବାଦ

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ବ୍ୟଙ୍ଗକରି କଂଗ୍ରେସ ମୁଖପତ୍ର ନ୍ୟାଶନାଲ ହେରାଲ୍ଡରେ ଏକ କାର୍ଟୁନ୍‌ ପ୍ରକାଶ ପାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଉକ୍ତ ଖବରକାଗଜ ପକ୍ଷରୁ କ୍ଷମା ମଗାଯାଇଛି।
ପ୍ରକାଶିତ ବିବାଦୀୟ କାର୍ଟୁନ୍‌ରେ ଗୋଟିଏପଟେ ବାବ୍ରୀ ମସ୍‌ଜିଦ ଭଙ୍ଗାବେଳର ଦୃଶ୍ୟ ଓ ଅନ୍ୟପଟେ ସୁପ୍ରିମକୋର୍ଟ ଛବି ରହିଛି। ମସ୍‌ଜିଦ ଉପରେ ‘୧୯୯୨‘ ଓ ସୁପ୍ରିମକୋର୍ଟ ଉପରେ ‘୨୦୧୯’ ଉଲ୍ଲେଖ କରାଯାଇଛି। ତଳେ ଲେଖାଯାଇଛି ‘ଯାହାର ବାଡ଼ି ତାହାର ମଇଁଷି ’। ତଳେ କ୍ୟାପ୍‌ଶନ ରହିଛି, ‘ବଳ ପ୍ରୟୋଗ, ହିଂସା ଓ ରକ୍ତପାତ ଦ୍ୱାରା ନିର୍ମିତ ଏକ ମନ୍ଦିରରେ ଭଗବାନ ରହିପାରିବେ କି?’ ଯଦି ଭଗବାନ ସେଠାରେ ରହିବାକୁ ଚାହାନ୍ତି, ତେବେ ଏପରି ଏକ ମନ୍ଦିରରେ କେବେ ପ୍ରାର୍ଥନା କରିପାରିବା କି? ଏହି କାର୍ଟୁନ୍‌କୁ ନେଇ ଭାଜପା ଆପତ୍ତି ଉଠାଇଛି। କଂଗ୍ରେସର ମୁଖପତ୍ରରେ ପ୍ରକାଶିତ ଏହି କାର୍ଟୁନରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉଛି। ଦେଶର ନ୍ୟାୟିକ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇବା ଲଜ୍ଜାଜନକ ବିଷୟ। ତେଣୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର ଦାବି କରିଥିଲେ। ବିବାଦ ପରେ ଖବରକାଗଜ ପକ୍ଷରୁ କୁହାଯାଇଛି ଯେ, ‘ଅଯୋଧ୍ୟା ରାମମନ୍ଦିରରେ ଜଣେ ଧର୍ମନିଷ୍ଠ ହିନ୍ଦୁ କାହିଁକି କେବେ ପୂଜା କରିବେ ନାହିଁ ’ ଆର୍ଟିକିଲରେ ପ୍ରକାଶିତ ମତ ଲେଖକଙ୍କର ଓ ନ୍ୟାଶନାଲ ହେରାଲ୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ। କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ଧାର୍ମିକ ଭାବାବେଗକୁ କୁଠାରାଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛୁ ଓ କ୍ଷମା ମାଗୁଛୁ । ପ୍ରକାଶ ଯେ, ୧୯୩୮ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନ୍ୟାଶନାଲ ହେରାଲ୍ଡ ପ୍ରତିଷ୍ଠା କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଏହି ଖବରକାଗଜ ଲୋକଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଥିଲା।

Share