କାର୍ତ୍ତିକ ନାଏକ ହତ୍ୟା ମାମଲା: ଅଭିଯୁକ୍ତ ପୁତୁରାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ମଙ୍ଗଳବାର ବହୁ ଚର୍ଚ୍ଚିତ କାର୍ତ୍ତିକ ନାଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଡିଜେ ବାମାଶଙ୍କର ମିଶ୍ର ମାମଲାର ଅଭିଯୁକ୍ତ ପୁତୁରା ହାଡ଼ିବନ୍ଧୁ ନାଏକ ଓରଫ୍‌ ହାଡ଼ିଆଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ।

ମାମଲାର ବିବରଣୀ ଅନୁଯାୟୀ, ୨୦୧୪ ଡିସେମ୍ବର ୭ରେ ବାଉଁଶପାଳ ଗ୍ରାମରେ କାର୍ତ୍ତିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବଡ଼ଭାଇ ରବି ନାଏକ ଏବଂ ତାଙ୍କ ପୁଅ ହାଡ଼ିବନ୍ଧୁ ମିଳିତ ଭାବେ କାର୍ତ୍ତିକଙ୍କୁ ଠେଙ୍ଗା, ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର, ପରେ ଜିଲା ଚିକିତ୍ସାଳୟ ଏବଂ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୭ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମା’ ରାଧା ନାଏକଙ୍କ ଅଭିଯୋଗକୁ ଭିତ୍ତିକରି ଆଇପିସିର ଦଫା ୩୦୨, ୩୪ ଅନୁଯାୟୀ ମାମଲା (ନଂ.୨୬୦/୧୪) ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହାଡ଼ିବନ୍ଧୁ ବିଚାରାଧୀନ ବନ୍ଦୀ ରହିଥିବାବେଳେ ରବି ଜାମିନରେ ଆସିଥିଲେ। କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ରବିଙ୍କ ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା। ମାମଲାର ସିଟି ସେସନ୍ସ କେସ୍‌ (ନଂ. ୮୬/୧୫)ର ବିଚାର କରି ଏଡିଜେ ଏହି ରାୟ ପ୍ରଦାନ କରିଛନ୍ତି।