ଓଡ଼ଗାଁ, ୧୨।୧୧(ସ୍ବ. ପ୍ର.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ଓଡ଼ଗାଁରେ ବିଜେ ଶ୍ରୀରଘୁନାଥ ଜୀଉ, ଶ୍ରୀରାଧାକାନ୍ତ, ହେମାମାଳି ଠାକୁରାଣୀ, ସତ୍ୟସାଇ ମନ୍ଦିର, ମହାଦେବ ମନ୍ଦିର ଆଦି ବୁଲି ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀରଘୁନାଥ ଜୀଉ ଭୋରରୁ ଧଳା, କଳା ଘୋଡ଼ାରେ ସମର ସଜ୍ଜା ବେଶରେ କାଞ୍ଚି ଅଭିଯାନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ହୋଇଛି। ଏଥିସହ ନିକଟରେ ଦୂତିକେଶ୍ୱର ମହାଦେବଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଆଦର୍ଶ ଥାନା ଅଧିକାରୀ ମମତା ପତି ସୂଚନା ଦେଇଛନ୍ତି।