କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଉଦ୍‌ଘାଟନ ପର୍ବ ଶେଷ କରାଯାଇଥିଲା। ହେଲେ ଏହି ଉଦଘାଟିତ ଶିଶୁ ପାର୍କଟି ଅଦ୍ୟାବଧି ଶିଶୁଙ୍କ ମନୋରଞ୍ଜନରେ ଆସିପାରୁନି। ପାର୍କ ପରିସରରେ ଅନାବନା ଘାସ ଲଟାରେ ପରିପୁର୍ଣ୍ଣ ରହିଥିବା ବେଳେ ମୁଖ୍ୟ ଗେଟ୍‌ରେ ତାଲା ଝୁଲୁଛି ଏବଂ ପାର୍କର ପ୍ରବେଶ ଦ୍ୱାରରେ ମୋରମ ଢଳାଯାଇ ରାସ୍ତା ଅବରୋଧ କରାଯାଇଛି। ଏଭଳି ଘଟଣାକୁ ନେଇ ମାସକ ତଳେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶିଶୁ ପାର୍କ ତୁରନ୍ତ ଖୋଲା ଯିବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ହେଲେ ପ୍ରଶାସନିକ ଅଧିକାରୀମାନେ ଏଥିରେ କର୍ଣ୍ଣପାତ କରି ନ ଥିଲେ। ପୁନର୍ବାର ୧୯ ତାରିଖ ସୋମବାର ଆନନ୍ଦପୁର ବ୍ଲକ ପରିସରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରେସ୍‌ କ୍ଲବର ସଦସ୍ୟମାନେ ଜିଲାପାଳ ଆଶିଷ ଠାକରେଙ୍କୁ ସାକ୍ଷାତ କରି ଶିଶୁ ପାର୍କ ଶିଶୁ ମାନଙ୍କ ବ୍ୟବହାର ପାଇଁ ଖୋଲାଯିବାକୁ ଦାବି କରାଯାଇଥିଲା। ଜିଲାପାଳ ଠାକରେ ଆନନ୍ଦପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଦୁଇ ଦିନ ମଧ୍ୟରେ ପାର୍କର ସମସ୍ତ କାର୍ଯ୍ୟ ଶେଷ କରି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲାପାଳଙ୍କ ନିର୍ଦ୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବା ପରିଲକ୍ଷିତ ହୋଇଛି।