କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍‌ଲାଇନ

ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ନୟାଗଡ଼ ଜିଲାରେ ମଧ୍ୟ ଏ ପ୍ରକାର ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରର ବିଭିନ୍ନ ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆ ବଦଳରେ ଇଂଲିଶରେ ନାମଫଳକ ଲେଖାହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ୫ ନଭେମ୍ବର ୨୦୧୮ରେ ନୟାଗଡ଼ ଏନ୍‌ଏସି (ବର୍ତ୍ତମାନ ପୌର ପରିଷଦ) ପକ୍ଷରୁ ସମସ୍ତ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ୧୧ ତାରିଖ ଭିତରେ ସେମାନଙ୍କ ଦୋକାନର ନାମଫଳକ ଓଡ଼ିଆରେ ଲେଖିବାକୁ କୁହାଯାଇଥିଲା। ଧାର୍ଯ୍ୟ ସମୟ ଭିତରେ ଯଦି ଲେଖାଯାଇ ନ ଥାଏ ତେବେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ପ୍ରତିଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଥିଲା। କିନ୍ତୁ ବର୍ଷେ ପରେ ମଧ୍ୟ ସହରର ଅଧିକାଂଶ ଦୋକାନ ଓ ପ୍ରତିଷ୍ଠାନରେ ଏହି ନୀତିନିୟମକୁ ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଖଣ୍ଡପଡ଼ା ରୋଡ଼ସ୍ଥିତ ସେସୁର ୩୩/୧୧ କେଭି ସବ୍‌ଷ୍ଟେଶନରେ ନାମଫଳକ ଇଂଲିଶରେ ଲେଖାହୋଇଥିବା ଦେଖାଯାଇଛି। ଧର୍ମକୁ ଆଖିଠାର ଭଳି କେତେକ ଦୋକାନ ଓ ପ୍ରତିଷ୍ଠାନ ଛୋଟ ଛୋଟ ଅକ୍ଷରରେ ଓଡ଼ିଆରେ ପ୍ରତିଷ୍ଠାନର ନାମଫଳକ କରିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ ଦୋକାନ ଓ ପ୍ରତିଷ୍ଠାନର ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ଘଟଣା ଦେଖାଦେଉଥିବା ସାଧାରଣରେ ଅଭିଯୋଗ ହେଉଥିଲା। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ ୯ ତାରିଖରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଏନ୍‌ଏସି କାର୍ଯ୍ୟାଳୟଠାରେ ହୋଇଥିବା ବୈଠକରେ ସହରରେ ଥିବା ସମସ୍ତ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଗଦେଇଥିବା ବ୍ୟାଙ୍କର ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ଦୋକାନ, ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୁହାଯାଇଥିଲା। ବୈଠକରେ ନାମଫଳକ ଅନ୍ୟ ଯେ କୌଣସି ଭାଷାରେ ଲେଖା ହେଉ କି ନ ହେଉ କିନ୍ତୁ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ପରେ ଏ ନେଇ ଏନ୍‌ଏସି ପକ୍ଷରୁ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକୁ ଚିଠି କରାଯାଇଥିଲା। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସବୁଠି ଇଂଲିଶ ଭାଷାର ମୋହ ଜଳଜଳ ଦେଖାଯାଉଛି। ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତ ଦେଇ ନ ଥିଲେ ।

Share