କାର୍ଯ୍ୟକ୍ଷମ ହେଉନି ଆହାର କେନ୍ଦ୍ର

ଚମ୍ପୁଆ,୨।୨(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ବେସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ନୂତନ ଆହାରକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଆହାରକେନ୍ଦ୍ର ସମ୍ମୁଖରେ ଡ୍ରେନ୍‌ ସ୍ଲାବ ପଡି ନ ଥିବା ଓ ପାଚେରି ନ ଥିବାରୁ ଏହା ଖୋଲା ଯାଇପାରୁ ନାହିଁ ବୋଲି ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ପ୍ରାୟ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ବସ୍‌ଷ୍ଟାଣ୍ଡ କଡ଼ରେ ଏକ ନୂତନ ଆହାରକେନ୍ଦ୍ର ନିର୍ମାଣ କରାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ପୁରୁଣା ସେଲ୍‌ଟାକ୍ସ ଗେଟ୍‌ ନିକଟରେ ଏକ ଅସ୍ଥାୟୀ ଘରେ କାର୍ଯ୍ୟକ୍ଷମ ରହିଛି। ଏହାର ସ୍ଥାୟୀ ସମାଧାନ ଲାଗି ଏନ୍‌ଏସି ପକ୍ଷରୁ ବସ୍‌ଷ୍ଟାଣ୍ଡକୁ ଲାଗି ଏକ ନୂତନ ଆହାରକେନ୍ଦ୍ର ଆବଶ୍ୟକ ସୁବିଧା ଥାଇ ନିର୍ମାଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡ ନିକଟରେ ଆହାରକେନ୍ଦ୍ର ନିର୍ମାଣ କରାଗଲେ ଆର୍ଥିକ ଦୁର୍ବଳ ଓ ବସ୍‌ ଯାତ୍ରୀମାନେ ଏହାର ସୁଫଳ ପାଇପାରିବେ। ଏହି ଉଦ୍ଦେଶ୍ୟ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇ ଆହାରକେନ୍ଦ୍ର ନିର୍ମାଣ ପରେ ଏନ୍‌ଏସିକୁ ହସ୍ତାନ୍ତର କରାଯାଇଥିଲା। ବର୍ଷ ଆରମ୍ଭରୁ ଏହା ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଖୋଲାଯାଇ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ କହିଛନ୍ତି, ହାଇଜେନିକ ବ୍ୟବସ୍ଥା ଓ ବାଉଣ୍ଡାରୀ ଆଦି କରିବା ପାଇଁ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଖୁବ୍‌ଶୀଘ୍ର ଉକ୍ତ କାର୍ଯ୍ୟ ଶେଷ କରି ଆହାରକେନ୍ଦ୍ର ଖୋଲାଯିବ।