କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪

ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅନୁଦାନରେ ଏହା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଲୋକାର୍ପଣ କରିଥିଲେ।
କୋଭିଡ୍‌-୧୯ ପ୍ରତିରୋଧ ସମ୍ପର୍କିତ ଗାଇଡ୍‌ ଲାଇନ ଅନୁଯାୟୀ ଏଥିରେ ମୋଟ ୧୦୬ ଶଯ୍ୟା ରହିଛି। ସେଥିରୁ ୫୪ଟିରେ ଅକ୍ସିଜେନ ସୁବିଧା ରହିଛି। ୪୦ଟି ଆଇସୋଲେଶନ ଶଯ୍ୟା ଭାବେ ବ୍ୟବହାର କରାଯାଇପାରିବ। ସେହିପରି ୬ଶଯ୍ୟାରେ ହାଇଫର ଡିପେଣ୍ଡାଣ୍ଟ ୟୁନିଟ୍‌ (ଏଚ୍‌ଡିୟୁ)ର ବ୍ୟବସ୍ଥା କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଲିମପ୍ରାପ୍ତ ସ୍ବତନ୍ତ୍ର ଡାକ୍ତର, ଷ୍ଟାଫ୍‌ନର୍ସ ଏବଂ ଟେକ୍ନିସିଆନ ଏହି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟ କରିବେ। ଡାକ୍ତରମାନେ ହୋଟେଲରେ ରହିବେ। ସେହିପରି ସହଯୋଗୀ କର୍ମଚାରୀମାନଙ୍କ ଲାଗି ସ୍ବାସ୍ଥ୍ୟକେନ୍ଦ୍ର ପରିସର ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଶାଦ୍ରୀ’ର ହଷ୍ଟେଲରେ ରହିବା ବ୍ୟବସ୍ଥା କରାଯାଇଛି। ଏଣିକି ଜିଲାରେ କରୋନା ସଂକ୍ରମିତ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ସେମାନେ ଏଠାରେ ସୁବିଧାରେ ଚିକିତ୍ସିତ ହୋଇପାରିବେ। ଗୁରୁତର ରୋଗୀଙ୍କୁ ଆବଶ୍ୟକ ପଡ଼ିଲେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କୋଭିଡ୍‌ ହେଲ୍‌ଥ ସେଣ୍ଟର ପରିଚାଳନା ଦାୟିତ୍ୱ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଡିଏମ୍‌ଓ ଡା. ଅଭୟ କୁମାର ଦାସଙ୍କୁ କୋଭିଡ୍‌ ହେଲ୍‌ଥ ସେଣ୍ଟରର ମେଡିକାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share