କାର୍ଯ୍ୟଦକ୍ଷତା ବଢ଼ାଏ ସୁସ୍ଥ ଜୀବନଶୈଳୀ

ସୁସ୍ଥ ଜୀବନଶୈଳୀକୁ ଆଗେଇବା ଏତେ ସହଜ ନୁହେଁ। କାରଣ ଏଥିପାଇଁ ଆମକୁ ଅନେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ। ଆଜିକାଲିର ବ୍ୟସ୍ତମୟ ଜୀବନରେ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ସବୁଠାରୁ ବଡ କଥା। ହେଲେ କେତେକେ ଏଥିପ୍ରତି ନଜର ଦେଇ ନ ଥାନ୍ତି। ଫଳରେ ସେମାନେ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ହେଲେ ସୁସ୍ଥ ଜୀବନଶୈଳୀ ଆମର କାର୍ଯ୍ୟଦକ୍ଷତା ବଢ଼ାଇବାରେ ଅନେକାଂଶରେ ସହାୟକ ହୋଇଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଜଣାପଡିଛି। ଯେଉଁମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯେତେ ସଚେତନ ସେହି ଅନୁସାରେ ସେମାନଙ୍କର କାର୍ଯ୍ୟଦକ୍ଷତା ଆହୁରି ସକ୍ରିୟ ରହିଥାଏ। କେବଳ ସେତିକି ନୁହେଁ, କାମ କରିବା ସମୟରେ ସେମାନେ କମ୍‌ ପରିମାଣରେ ଚାପର ସମ୍ମୁଖୀନ ହୋଇଥାଆନ୍ତି। କାରଣ ଜୀବନଶୈଳୀ ସୁସ୍ଥ ରହିଲେ ତାହା ଆମ ମାନସିକତାକୁ ସକାରାତ୍ମକ ରଖିଥାଏ, ଫଳରେ ଆମେ ତୁଲାଉଥିବା କାମ ପ୍ରତି ଅଧିକ ଯତ୍ନବାନ ହୋଇଥାଉ।