କାର୍ଯ୍ୟରତ କନଷ୍ଟେବଳଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୧୧।୧-ବାଲେଶ୍ୱର ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଶଶିକାନ୍ତ ପାଣିଗ୍ରାହୀ (୫୨) ଶନିବାର ଅପରାହ୍ନରେ ଡ୍ୟୁଟିରେ ଥିବାବେଳେ ହଠାତ୍‌ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ଜିଲା ପୋଲିସ ପ୍ରଶାସନରେ ଶୋକର ଛାୟା ଖେଳିଯାଇଛି।
ଶଶିକାନ୍ତ ଡ୍ୟୁଟିରେ ଥିବାବେଳେ ଅପରାହ୍ନରେ ହଠାତ୍‌ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସହକର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୮୬ ମସିହାରୁ ପାଣିଗ୍ରାହୀ ପୋଲିସ୍‌ ବିଭାଗରେ ଯୋଗଦେଇ ଦୀର୍ଘ ୩୪ବର୍ଷ ଧରି ସେବା କରିଆସିଥିଲେ। ସେ ଜଣେ ଧର୍ମପରାୟଣ, ନିଷ୍ଠାପର, ମେଳାପୀ ଥିବାରୁ ତାଙ୍କ ପାଇଁ ଶତାଧିକ ସହକର୍ମୀ ଓ ପ୍ରଶାସନ ଅଧିକାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତୁଷାରକାନ୍ତ ଜେନା, ଆର୍‌ଆଇ ଦିଲୀପ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୋକସଭା ହେବା ସହ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ।