କାର୍ଯ୍ୟରେ ଅବହେଳା: ବିଏଲଓ ନିଲମ୍ବିତ: ୨୭ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର ଅଫିସ,୬।୧୧: ଗତ ସେପ୍ଟେମ୍ବର ୧୫ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖ ସୁଦ୍ଧା ସାରିବାକୁ ସମୟସୀମା ନିର୍ଦ୍ଧାରିତ ହୋଇଛି। ଆସନ୍ତା ୨୫ ତାରିଖରେ ନୂତନ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ମଧ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ଜିଲାରେ ଭୋଟର ପରିଚୟ ଯାଞ୍ଚ କାର୍ଯ୍ୟକ୍ରମରେ ବହୁ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟରେ ଅବହେଳା କରାଯାଇଥିବା ନେଇ ତନାଘନା ଆରମ୍ଭ ହୋଇଛି। ତଦନ୍ତ ପରେ ବୁଥ୍‌ ନଂ.୭ରେ କାର୍ଯ୍ୟ କରୁଥିବା ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ସୁକାନ୍ତି ମିଶ୍ରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଉପଜିଲାପାଳ ନୀଲୁ ମହାପାତ୍ର ନିଲମ୍ବିତ କରିଛନ୍ତି। ଏଥିସହ ନିୟୋଜିତ ୨୫ଜଣ ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକ ଓ ୨ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଥିତ୍ପୂର୍ବରୁ କେତେକ କାର୍ଯ୍ୟରେ ଅନିୟମିତତା ନେଇ ତାଗିଦ କରାଯାଇଥିଲା। କିନ୍ତୁ ଏଥିରେ ଅବହେଳା କରାଯିବା କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି। କାର୍ଯ୍ୟରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ତାହାର କୈଫିୟତ ୩ଦିନ ମଧ୍ୟରେ ଜଣାଇବାକୁ ଅନ୍ୟ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି।

Share