କାର୍ଯ୍ୟରେ ଅବହେଳା ଯୋଗୁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବନ କରାଯାଇଛି। ତାଙ୍କ ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗତ ଜାନୁୟାରୀ ୨୧ରେ ନଅତାଲାସ୍ଥିତ ଉଚ୍ଚଶିକ୍ଷା ବିଭାଗ ଦ୍ବିତୀୟ କ୍ୟାମ୍ପସ୍‌ ଅଚାନକ ଗସ୍ତ ସମୟରେ ଫାଇଲ୍‌ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଫାଇଲ୍‌ଟି ୬ ମାସରୁ ଊର୍ଦ୍ଧ୍ୱକାଳ କାର୍ଯ୍ୟକାରୀ ନ ହୋଇ ପଡ଼ିରହିଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଉପବିଭାଗ ଅଧିକାରୀ ଗୋଚ୍ଛାୟତଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ‘୫-ଟି’ ଆଧାରରେ କାର୍ଯ୍ୟ କରି ଫାଇଲ୍‌ ପ୍ରକ୍ରିୟାରେ ପାରଦର୍ଶିତା ଆଣିବାକୁ ମନ୍ତ୍ରୀଙ୍କ ବାରମ୍ବାର ତାଗିଦ୍‌ ସତ୍ତ୍ବେ ଉପବିଭାଗ ଅଧିକାରୀ କାର୍ଯ୍ୟରେ ଅବହେଳା କରିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share