କାର୍ଯ୍ୟାଦେଶ ଦେଇ ନିର୍ମାଣ ବନ୍ଦ କରାଉଛନ୍ତି ଅଧିକାରୀ: ଜିଲାପାଳଙ୍କୁ ଫେରାଦ ହେଲେ ଟୁଲୁକା ଗ୍ରାମବାସୀ

ଅନୁଗୋଳ ଅଫିସ, ୨୭।୧୧- ଅନୁଗୋଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଟୁଲୁକା ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ସରକାରୀ ଅଧିକାରୀମାନେ ସେମାନଙ୍କୁ ଠକି ଦେଇଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ଦେଇଥିଲେ ବି ଅଧିକାରୀମାନେ ଏବେ କାମ ବନ୍ଦ କରିବାକୁ କହୁଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି।
ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେଜଣ ହୀତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିଥିଲା। ଏପରି କି ପ୍ରଥମ କିସ୍ତିର ୨୦ ହଜାର ଲେଖାଏଁ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏହାର ଗୋଟିଏ ମାସ ପରେ କାର୍ଯ୍ୟ ବନ୍ଦ କରିବାକୁ କୁହାଯାଇଛି। ଘର ନିର୍ମାଣ ପାଇଁ ସେମାନେ ବିଭିନ୍ନ ସାମଗ୍ରୀ କିଣି କାମ ଆରମ୍ଭ କରିଥିବାରୁ ସେହି ଟଙ୍କା କିପରି ପରିଶୋଧ କରିବେ ସେ ନେଇ ଅଡ଼ୁଆରେ ପଡ଼ିଥିବା ଗ୍ରାମବାସୀ ଦୋଳ ସାସମଲ, ବାବୁରି ସାମଲ, ନୃସିଂହ ଜାନି, କଳ୍ପନା ନାଏକ, ସବନି ସାମଲ ଓ କେତୁକା ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ବିଡିଓ ମାୟାଧର ବେହେରା କହିଛନ୍ତି, ଜଙ୍ଗଲ ମଧ୍ୟରେ ଗୃହ ନିର୍ମାଣ କୌଣସି କାରଣବଶତଃ ବନ୍ଦ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓ ଉପଜିଲାପାଳ କହିବା ପରେ ଆବାସ ଯୋଜନା ନିର୍ମାଣ ମୌଖିକ ଭାବେ ବନ୍ଦ କରାଯାଇଛି। ଲୋକଙ୍କ ଅଭିଯୋଗ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଯାଇଛି। ତେବେ ଲୋକମାନେ କରିଥିବା ଅଭିଯୋଗ ମୁତାବକ ସେମାନଙ୍କ ଟଙ୍କା କିପରି ପ୍ରଦାନ କରାଯିବ ତାହା ବିଚାର କରାଯିବ ବୋଲି ସେ କହିଛନ୍ତି।