କାର୍‌ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୁଳିଭରା ପିସ୍ତଲ ଜବତ: ୩ ଗିରଫ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏକ ଆନ୍ତଃରାଜ୍ୟ ଚୋରା ବ୍ରାଉନସୁଗାର ର଼୍ୟାକେଟକୁ ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍‌ରୁ ୧୩୦ ଗ୍ରାମର ବ୍ରାଉନସୁଗାର, ପିସ୍ତଲ ଓ ଦୁଇ ରାଉଣ୍ଡ୍‌ ଗୁଳି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ସେକ୍‌ ଆଜବାହାର, ପଶ୍ଚିମବଙ୍ଗ ମେଦିନାପୁର ଜିଲା ମହେଶପୁର ଥାନା ଅଞ୍ଚଳର ସେକ୍‌ ଆଜାଦ ଓରଫ ନାଲୁ ଏବଂ ପୁରୀ ଜିଲା ଚନ୍ଦନପୁର ଥାନା ଅଞ୍ଚଳର ରମାକାନ୍ତ ସାହୁ ଓରଫ ଟୁଲୁ।
ସୂଚନା ମୁତାବକ, ଚୋରା ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍‌କୁ ସୋମବାର ଖବର ମିଳିଥିଲା। ର଼୍ୟାକେଟକୁ ଧରିବା ପାଇଁ ଏସଟିଏଫ୍‌ ଅଧିକାରୀ ଆଲୋକ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ସଜାଗ ରହିଥିଲା। ଖୋର୍ଦ୍ଧା ପିତାପଲ୍ଲୀ ପୁରୁଣା ଟୋଲ୍‌ପ୍ଲାଜା ନିକଟରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ବେଳେ ଓଡି୦୨ ଏ୩୭୧୨ ନମ୍ବର ବିଶିଷ୍ଟ କାରକୁ ଏସଟିଏଫ ଟିମ୍‌ ଅଟକାଇବା ସହ ସଦସ୍ୟମାନେ ଚାରିପଟୁ ଘେରି ଯାଇଥିଲେ। ସେଥିରେ ଥିବା ୩ଜଣଙ୍କୁ ଯାଞ୍ଚ କରାଯାଇଥିଲା। ଆଜବାହାରଙ୍କ ନିକଟରୁ ୫୦ ଗ୍ରାମ, ନାଲୁ ନିକଟରୁ ୩୦ ଗ୍ରାମ ଏବଂ ଟୁଲୁ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା। କାର୍‌କୁ ଯାଞ୍ଚ କରିବା ପରେ ଲୁଚାଇ ରଖାଯାଇଥିବା ବନ୍ଧୁକ ଓ ଗୁଳିକୁ ଜବତ କରାଯାଇଥିଲା। ଏ ନେଇ ଏସ୍‌ଟିଏଫ ୧୨/୧୯ରେ ଏକ ମାମଲା ରୁଜୁ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ପରେ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

Share