କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ ରାସ୍ତାରେ ପଳାଇଥାଉ। ଏଥିପାଇଁ କେତେବେଳେ ଜରିମାନା ଦେବାକୁ ପଡ଼ିଥାଏ ତ କେତେବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିଦେଶରେ। ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ବ୍ରିଟିଶର ଦୁଇ ପରିବାର ଡେଭିଡ ଓ ଏଲିନ କେନର୍ସ ୩ମାସର ଶିଶୁ ଏବଂ ପରିବାରର କିଛି ସଦସ୍ୟଙ୍କ ସହ କାନାଡା ଛୁଟି ମନାଇବାକୁ ଯାଇଥିଲେ। କାର୍‌ରେ ଯାଉଥିବା ସମୟରେ ଭୁଲରେ ସେମାନେ ଆମେରିକା ସୀମା ଭିତରକୁ ପଶିଯାଇଥିଲେ। ଫଳରେ ସୀମାରେ ମୁତୟନ ଥିବା ସୁରକ୍ଷାକର୍ମୀ ଡେଭିଡ ଓ ଏଲିନଙ୍କ ସହ ଶିଶୁ ଆଉ ପରିବାର ସବୁ ସଦସ୍ୟଙ୍କୁ ଗିରଫ କରିଥିଲେ। ବେଆଇନ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ସେଠାରେ ଗିରଫ କରାଯାଇଥିଲା ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ଏଲିନ ଖଣ୍ଡନ କରିବା ସହ ଜୀବଜନ୍ତୁଙ୍କଠାରୁ ବର୍ତ୍ତିବା ପାଇଁ ସେ ଏଭଳି ଭୁଲ ରାସ୍ତାରେ ପଳାଇ ଆସିଥିଲେ। ତେବେ ଗିରଫଦାରି ପରେ ସେମାନଙ୍କୁ ଇମିଗ୍ରେଶନ ଡିଟେସନ୍‌ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଶୁଭଳି ବ୍ୟବହାର କରାଯାଇଥିଲା। ଏପରି କି ୩ମାସର ଶିଶୁକୁ ମଧ୍ୟ ସେମାନେ ଛାଡି ନ ଥିଲେ ବୋଲି ଏଲିନ ଅଭିଯୋଗ କରିଛନ୍ତି। ତେବେ ବ୍ରିଟିଶ ଦୂତାବାସଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ନିର୍ଯାତନା କମ୍‌ ହୋଇଥିଲା ବୋଲି ଏଲିନ କହିଛନ୍ତି। ତେବେ ଗିରଫଦାରି ପରେ ସେମାନଙ୍କୁ ପୁଣି କାନାଡାକୁ ଫେରାଇ ଦିଆଯିବାକୁ ଉଦ୍ୟମ କରାଯାଇଥିଲା। ହେଲେ କାନାଡା ସରକାର ସେମାନଙ୍କୁ ଫେରାଇ ନେବାକୁ ମନା କରିଦେଇଥିଲେ ବୋଲି ଆମେରିକା ଉକ୍ତ ଅଧିକାରୀ କହିଛନ୍ତି। ତେବେ ଉକ୍ତ ଦୁଇ ଦମ୍ପତି ଖୁବ୍‌ଶୀଘ୍ର ନିଜ ଗନ୍ତବ୍ୟସ୍ଥଳ ବ୍ରିଟେନକୁ ଫେରିବେ ବୋଲି ଆଶାବାଦୀ ରହିଛନ୍ତି।

Share