କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହକି ଏକାଡେମୀର ଖେଳାଳିମାନେ ଧ୍ୟାନଚନ୍ଦ ହକି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ରବିବାର ହୋଶଙ୍ଗାବାଦ ଆସିଥିଲେ। ଖେଳାଳିମାନେ ଫେରୁଥିବା ସମୟରେ କାର୍‌ଟି ତୀବ୍ର ବେଗରେ ଥିବାରୁ ନିୟନ୍ତ୍ରଣ ହରାଇ ଏକ ଗଛକୁ ପିଟିଦେଇଥିଲା। ଦୁର୍ଘଟଣା ଘଟିଥିବା କାର୍‌ରେ ୭ଜଣ ଖେଳାଳି ରହିଥିଲେ। ହେଲେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶୋକ ପ୍ରକାଶ କରିବା ସହ ମୃତପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଆହତ ଖେଳାଳି ପରିବାରଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି କମଲ ନାଥ ନିର୍ଦ୍ଦେଶ ଦେଇଛନ୍ତି।

Share