Categories: ଖେଳ

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ ଷ୍ଟାର ବକ୍ସର ଅମିର ଖାଁଙ୍କ ବିପକ୍ଷ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ମୁକାବିଲାରୁ ସେ ଓହରଯିବାକୁ ବାଧ୍ୟ ହୋଇଛନ୍ତି। ଖବର ଅନୁସାରେ ମଙ୍ଗଳବାର ରାତିରେ ହରିୟାଣାର ଏହି ୨୭ ବର୍ଷୀୟ ବକ୍ସର ଏହି ମେଗା ଫାଇଟ୍‌ ପାଇଁ ଟ୍ରେନିଂ ଶେଷ କରି ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମୁଣ୍ଡ, ମୁହଁ ଏବଂ ବାମ ହାତରେ ଗୁରୁତର ଆଘାତ ଲାଗିଛି। ଆମେ ତାଙ୍କର ଦ୍ରୁତ ଆରୋଗ୍ୟକାମନା କରୁଛୁ ବୋଲି ସୁପର ବକ୍ସିଂ ଲିଗ୍‌ ପ୍ରମୋଟର ବିଲ୍‌ ଡୋସାଞ୍ଜ୍‌ ପ୍ରକାଶ କରିଛନ୍ତି। ନୀରଜ ଜୁଲାଇ ୧୨ରେ ସୌଦି ଆରବର ଜେଦାହଠାରେ ଦୁଇଥର ବିଶ୍ୱ ଚାମ୍ପିୟନ ଅମିରଙ୍କ ସହିତ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବାଉଟ୍‌ ଲଢିବାର କାର୍ଯ୍ୟକ୍ରମ ରହିଥିଲା। ଆୟୋଜକମାନେ ବର୍ତ୍ତମାନ ଏହି ମୁକାବିଲା ପାଇଁ ନୀରଜଙ୍କ ସ୍ଥାନରେ ଅନ୍ୟ ଜଣେ ବକ୍ସରଙ୍କ ସନ୍ଧାନରେ ଅଛନ୍ତି। ସୂଚନାଯୋଗ୍ୟ, ନୀରଜ ହେଉଛନ୍ତି ବର୍ତ୍ତମାନ ଡବ୍ଲ୍ୟୁବିସି ଏସିଆ ଓ୍ବେଲ୍ଟରଓ୍ବେଟ୍‌ ଟାଇଟଲ ହୋଲ୍‌ଡର। ତାଙ୍କର ଏପର୍ଯ୍ୟନ୍ତ ସୁଦ୍ଧା ଦୁଇ ନକ୍‌ଆଉଟ୍‌, ୩ ପରାଜୟ, ଦୁଇ ଡ୍ର ସହ ୧୧ ବିଜୟ ରେକର୍ଡ ରହିଛି।

Share