Categories: ବାଣିଜ୍ୟ

କାର୍‌, ବାଇକ ଟାୟାରରେ ନାଇଟ୍ରୋଜେନ୍‌ ଭରିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରାଯିିବ। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ଦେଶରେ ଦୈନିକ ସଡ଼କ ଦୁର୍ଘଟଣାରେ ୪୦୦ ଲୋକଙ୍କ ମୃତ୍ୟୁ ହେଉଛି। ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି।
ସଡ଼କ ଦୁର୍ଘଟଣା ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ସରକାର ଟାୟାର କ୍ୱାଲିଟିରେ ପରିବର୍ତ୍ତନ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତଦନୁଯାୟୀ, ସମସ୍ତ ଟାୟାର ନିର୍ମାତା ଆଗାମୀ ଦିନରେ ରବର ସହିତ ସିଲିକନ ମିଶାଇବାକୁ ଅନିବାର୍ଯ୍ୟ କରାଯିବ। ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ, ରବର ସହିତ ସିଲିକନ ମିଶାଇବା ସହ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବା ଯୋଗୁ ଟାୟାର ଫାଟିବା କାରଣରୁ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇଥାଏ। ସେ କହିଛନ୍ତି ଯେ, ନୋଏଡା-ଆଗ୍ରା ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଉତ୍ତରପ୍ରଦେଶ ସରକାର ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯମୁନା ଏକ୍ସପ୍ରେସଓ୍ବେକୁ ଉତ୍ତରପ୍ରଦେଶ ସରକାର ତିଆରି କରିଛନ୍ତି ଏବଂ ଏହାର ପରିଚାଳନା କରୁଛନ୍ତି। ଏଥିରେ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣର କୌଣସି ଭୂମିକା ନାହିଁ।

Share