କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ଜହ୍ନାପଙ୍କ, ୬।୬ (ଡି.ଏନ.ଏ): ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଜହ୍ନାପଙ୍କ ଫାଣ୍ଡି ନିକଟରେ ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ଏକ କାର (ନଂ.ଓଡି୧୭ଏଚ/୬୬୭୭) ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି କାର୍‌ ଭିତରେ ଥିବା ୩ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସେମାନଙ୍କର କୌଣସି କ୍ଷତି ହୋଇନାହିଁ । ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ଗୁରୁବାର ସକାଳେ ସୋନପୁରର ଏକ ରାଇସ ମିଲ ମାଲିକ ତାଙ୍କର ୨ଜଣ ସହଯୋଗୀଙ୍କ ସହିତ ଏକ ମିଟିଂରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ବେଳେ କାର୍‌ର ଆଗ ପଟ ଡାହାଣ ପାର୍ଶ୍ୱର ଚକ ପମ୍ପଚର ହୋଇଯାଇଥିଲା । ଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ଡାହାଣ ପାର୍ଶ୍ୱରେ ଥିବା ଏକ ବିଲ ଭିତରକୁ ପଶି ଯାଇଥିଲା ।