କାର ସହ ୬୧କେଜି ଗଞ୍ଜେଇ ଜବତ: ୩ ଗିରଫ

ଖୋର୍ଦ୍ଧା ଅଫିସ,୨୭।୧୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କୋଲକାତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥରୁ ଏକ ନୂଆ କାର ସହ ୬୧ କେଜି ଗଞ୍ଜେଇ ଅବକାରୀ ବିଭାଗ ଜବତ କରଛି। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଟକ ଜିଲା ଛତିଆ ନିକଟ ଚମ୍ପାପୁର ଗାଁର ସୁଶାନ୍ତ ଲେଙ୍କା, ଫୁଲବାଣୀ ହିରିଙ୍ଗପଡାର କାର୍ତ୍ତିକ ବେହେରା ଓ ବାଲିଗୁଡ଼ା ହାଟପଦା ଗାଁର ମହେଶ୍ୱର ନାୟକ। ସୁଶାନ୍ତ ଏକ ବସ୍‌ ଯୋଗେ ଯାଉଥିବାବେଳେ ତାଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେ ଫୁଲବାଣୀରୁ ଗଞ୍ଜେଇ ନେଇ କଟକକୁ ଯାଉଥିବା ଜଣାପଡ଼ିଛି। ସେହିପରି କାର୍ତ୍ତିକ ଓ ମହେଶ୍ୱରଙ୍କଠାରୁ ଏକ ନୂଆ କାର ସହ ୫୬ କେଜି ଗଞ୍ଜେଇ ଜବତ କରାଯାଇଛି।