ପୁରୀ,୧୫।୧୧(ଅଜିତ୍ କୁମାର ମହାନ୍ତି): କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଧାରିମାନେ ଡ଼ଙ୍ଗା ଭସାଇବା ସହ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ସମାପନ କରିଛନ୍ତି । ଅପରପକ୍ଷରେ : କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଶ୍ରୀମନ୍ଦିର ତଥା ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ନଭେମ୍ବର ୧୬ ତାରିଖ ଠାରୁ ଭକ୍ତ ମାନଙ୍କ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି। ଶନିବାରଠାରୁ ୪ ଦ୍ୱାର ଦେଇ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ। ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ମନ୍ଦିରରେ ପ୍ରବେଶ କରିବେ। ତେବେ ୪ ଦ୍ୱାର ଦେଇ ପ୍ରବେଶ କଲେ ମଧ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁ ବାହାରିବେ। ତେବେ ସିଂହଦ୍ୱାର ଦେଇ ପ୍ରସ୍ଥାନକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେବାୟତ ଏବଂ ତାଙ୍କ ପରିବାର ୪ ଦ୍ୱାର ଦେଇ ପ୍ରବେଶ ପ୍ରସ୍ଥାନ କରିପାରିବେ।
ତେବେ ଶ୍ରୀମନ୍ଦିର ନାଟମଣ୍ତପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ନାଟମଣ୍ଡପରେ ହେବାକୁ ଥିବା ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଉଛି।