କାଲିମେଳା ବ୍ଲକରେ ବଢ଼ିଚାଲିଛି କିଡ୍‌ନୀ ରୋଗ

କାଲିମେଳା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କଲିମେଳା ବ୍ଲକରେ ଦିନକୁ ଦିନ ବଢିଚାଲିଛି କିଡ୍‌ନୀ ରୋଗ। ବ୍ଲକରେ ଥିବା ୨୩ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବହୁ ବ୍ୟକ୍ତି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରିସାରିଲେଣି। ରବିବାର ମଧ୍ୟ କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତ ଏମଭି-୭୨ ଗ୍ରାମରେ କଣେ କିଡ୍‌ନୀ ରୋଗୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି ା ମୃତକ ହେଉଛନ୍ତି ଏମଭି-୭୨ ଗ୍ରାମର ମନ୍ମଥ ହାଉଲଦାର (୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ମନ୍ମଥ ଆଜକୁ ୩ ବର୍ଷ ଧରି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ା କାଲିମେଳା,ମାଲକାନଗିରି ଭଦ୍ରାଚଳମ ଆଦି ସ୍ଥାନରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ରୋଗ ଭଲ ହୋଇ ନ ଥିଲା। ନିକଟରେ ସେ ଗୁଣ୍ଠୁରସ୍ଥିତ ଅଶ୍ୱନୀ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ରବିବାର ଦିନ ୨ଟାରେ ଘରେ ଥିବା ସମୟରେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ା ମନ୍ମଥଙ୍କ ୨ଟିଯାକ କିଡ୍‌ନୀ ଖରାପ ଥିଲା । ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମରେ ଗତ ୫ ବର୍ଷ ମଧ୍ୟରେ ୨୫ରୁ ଉର୍ଦ୍ଧ୍ୱ ଲୋକଙ୍କ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲାଣି। ଏବେ ମଧ୍ୟ ଗ୍ରାମରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି ା ମନ୍ମଥଙ୍କ ମୃତ୍ୟୁ ପରେ ସ୍ତ୍ରୀ ଟୁଲଟୁଲି ହାଉଲଦାର ଦୁଃଖରେ ଭାଙ୍ଗି ପଡିଛନ୍ତି ା ତାଙ୍କର କୌଣସି ସନ୍ତାନ ନାହାନ୍ତି। ସେ କେମିତି ଚଳିବେ ଚିନ୍ତାରେ ପଡିଛନ୍ତି ା ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ା