କାଲେରୁ ସେତୁ ଉଦ୍‌ଘାଟନ ଦାବିରେ ଧାରଣା: ଜନ ପ୍ରତିନିଧି, ସେତୁ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ସାମିଲ

କାଲିମେଳା,୧୮।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁସ୍ଥିତ ସିଲେରୁ ନଦୀ ଉପରେ ନିର୍ମିତ କାଲେରୁ ସେତୁ ଉଦ୍‌ଘାଟନ ଦାବି କରି ମଙ୍ଗଳବାର ଜିଲାର ବିଭିନ୍ନ ରାଜନୈତିକ ଦଳର ଲୋକ ପ୍ରତିନିଧି ଏବଂ ଜନସାଧାରଣ ସେତୁ ନିକଟରେ ଧାରଣାରେ ବସିଛନ୍ତି। ଆନ୍ଧ୍ର ସରକାର ତୁରନ୍ତ ଏହି ସେତୁକୁ ଉଦ୍‌ଘାଟନ କରି ଏହା ଉପରେ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା ଏହି ଧାରଣାରେ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ସେତୁ ସୀମାନ୍ତବର୍ତ୍ତୀ ଗ୍ରାମର ଜନସାଧାରଣ ମଧ୍ୟ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ପ୍ରଥମେ ଅନୁଷ୍ଠିତ ଏକ ବୈଠକରେ ଜିଲା ଆଦିବାସୀ ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଆଡମା ରାବା, ପୂର୍ବତନ ଏମପି ପ୍ରତିନିଧି ବିଶ୍ୱନାଥ ରେଡ୍ଡି,ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା, କାମରାଜ କବାସୀ, ଜିଲା ଓକିଲ ସଂଘ ସଭାପତି ନୃସିଂହ ଚରଣ ମହାନ୍ତି, ମୋଟୁ ସରପଞ୍ଚ ମୁନା ସୋଡି, ପୁଷୁଗୁଡା ସରପଞ୍ଚ ରାମା ରାବା, ମାଲାଭରମ ସରପଞ୍ଚ କିଟି ୱାଇକା, ସମିତିସଭ୍ୟ ମିସୁମ ଖାନ, ମହାରାଜପାଲି ସରପଞ୍ଚ ରଶ୍ମିତା ମାଡାକମି, ମୋଟୁ ନାଏବ ସରପଞ୍ଚ କଳ୍ପନା ସୋଡି, ପଙ୍କଜିନି ମହାରଣା, ସମିତିସଭ୍ୟ ସୟାମ ଭୀମେ, ପୁଷୁଗୁଡାର ପୂର୍ବତନ ସରପଞ୍ଚ ମଟୁମ ଲାଛି, କାଲିମେଳା ବିଜେଡି ସଭାପତି ଶରତଚନ୍ଦ୍ର ବିଶ୍ୱାଳଙ୍କ ସମେତ ସ୍ଥାନୀୟ ୭ଟି ପଞ୍ଚୟତର ଜନପ୍ରତିନିଧି ଏବଂ ୩ ରାଜ୍ୟର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଜନସାଧାତଣ ଉପସ୍ଥିତ ଥିଲେ। ଦୀର୍ଘ ଦିନର ଦାବି ପରେ ସିଲେରୁ ନଦୀ ଉପରେ ଏହି ସେତୁ ନିର୍ମାଣ ହୋଇଛି। ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ସେତୁ ଉଦ୍‌ଘାଟନ ହୋଇପାରିନାହଁି ା ଏନେଇ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ସ୍ଥାନୀୟ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଗାମୀ ୧୫ ଦିନ ଭିତରେ ସେତୁ ଉଦ୍‌ଘାଟନ କରା ନ ଗଲେ ଜୋର ଜବରଦସ୍ତି ଏହି ସେତୁକୁ ବ୍ୟବହାର କରିବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି। ମାଲାକନଗିରି ଜିଲାର ୬୦/୭୦ ଭାଗ ଲୋକ ସ୍ବାସ୍ଥ୍ୟ ସେବା, ରୋଜଗାର, ବ୍ୟବସାୟ ପାଇଁ ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ଛତିଶଗଡ, ଆନ୍ଧ୍ରକୁ ଯାଉଛନ୍ତି। ଯାତାୟାତ ପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ା ଏବେ ଏହି ସେତୁ ଉପରେ ୨ଚକିଆ ଗାଡି ଚଳାଚଳ କରୁଥିବା ବେଳେ ବସ,ଟ୍ରକ କିମ୍ବା ଅନ୍ୟାନ୍ୟ ଭାରିଯାନ ଚଳାଚଳ କରିପାରୁନାହଁି ା ସଂନ୍ଧ୍ୟା ହେଲେ ଗେଟ ବନ୍ଦ ରହୁଥିବାରୁ ସେତୁ ଉପର ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଛି ା ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲାପାଳଙ୍କୁ ଉକ୍ତ ସେତୁ ଉଦ୍‌ଘାଟନ ପାଇଁ ପୂର୍ବରୁ ଚିଠି ଲେଖାଯାଇଥିଲା। ମାତ୍ର ଏହାର କୌଣସି ପ୍ରଭାବ ସମ୍ପୃକ୍ତ ଜିଲା ପ୍ରଶାସନ ଉପରେ ପଡିନାହିଁ।

Share