କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଜୋରରେ ପବନ ବହିବା ସହ ଘଡଘଡି ଓ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ଉକ୍ତ ୪ ଘଣ୍ଟା ସହରରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁ ସହରର ଷ୍ଟୁଆର୍ଟପାଟଣା, ପଟାପୋଲ, ସୂତାହାଟ, ରକ୍ସିଲେନ୍‌, ରାଉସାପାଟଣା, ମେରିଆ ବଜାର, କେଶରପୁର, ଅରୁଣୋଦୟ ମାର୍କେଟ୍‌ ଆଦି ଅଞ୍ଚଳରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରର ବିଭିନ୍ନ ସ୍ଥାନରେ ଜାଇକା କାର୍ଯ୍ୟ ଚାଲିଥିବାରୁ ରାସ୍ତାକଡରେ ମାଟି ଗଦା ହୋଇଥିଲା। ହେଲେ ବର୍ଷାଯୋଗୁ ଏହି ମାଟି ଧୋଇଯାଇ ରାସ୍ତା ଉପରକୁ ଚାଲି ଯାଇଥିଲା। ବର୍ଷା ଛାଡିଯିବା ପରେ ଯାତାରେ ସମସ୍ୟା ହୋଇଥିଲା। ଲିଙ୍କ୍‌ରୋଡରୁ ବାଦାମବାଡି ରାସ୍ତାରେ ଏଭଳି ଦୃଶ୍ୟ ବୁଧବାର ଦେଖିବାକୁ ମିଳିଥିଲା। ଏଥିରୁ ବାଦ୍‌ ପଡି ନ ଥିଲା ଏସ୍‌ସିବି ମେଡିକାଲ। କାଳବୈଶାଖୀ ଯୋଗୁ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟି ସମେତ ବିଭିନ୍ନ ଓ୍ବାର୍ଡ ପାଖାପାଖି ୪୫ ମିନିଟ୍‌ ଅନ୍ଧାରରେ ରହିଥିଲା। କାଜୁଆଲ୍‌ଟିରେ ଲାଗିଥିବା ଡିଜିସେଟ୍‌ କାମ ନ କରିବାରୁ ରୋଗୀସେବା ଗୁରୁତର ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ସେହିପରି କାଜୁଆଲ୍‌ଟି ଉପର ମହଲାରେ ଥିବା ଟ୍ରମା ଓ ସେଣ୍ଟ୍ରାଲ ଆଇସିୟୁ ଅନ୍ଧାର ରହିବା ଯୋଗୁ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏସ୍‌ସିବିରେ ଲାଗିଥିବା ଡିଜି ସେଟ୍‌ ରକ୍ଷଣାବେକ୍ଷଣ ପାଇଁ ୟୁଜର୍ସ ପାଣ୍ଠିରୁ ବହୁ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ଏଭଳି ସମୟରେ ଡିଜି ସେଟ୍‌ କାମ ନ ଦେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share