କାଳିଆବେଡ଼ା ଗ୍ରାମକୁ ପଶିଆସିଲେ ହାତୀପଲ: ଉଜାଡ଼ିଲେ ଫସଲ, ଗ୍ରାମବାସୀ ଭୟଭୀତ

କେନ୍ଦୁଝର,୧୩ା୬(ସ୍ବ.ପ୍ର.) : ସଦର ରେଞ୍ଜର କାଳିଆବେଡ଼ା ଗାଁକୁ ଶନିବାର ସକାଳେ ବଣୁଆ ହାତୀପଲ ପଶି ଆସିବା ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଆଜି ସକାଳୁ ଘଟଗାଁ ଦେଓବନ୍ଧ ଅଞ୍ଚଳରୁ ଏକ ଆଠ ଟିକିଆ ହାତୀପଲ ସଦର ରେଞ୍ଜକୁ ପଶି ଆସିଥିଲେ। ସେମାନେ ପ୍ରଥମେ ଖଡ଼ିଆଡିହା ଗାଁର ବାଡ଼ିବଗିଚାରେ ବ୍ୟାପକ ପନିପରିବା ନଷ୍ଟ କରିବା ସହ ବେଡ଼ା ଗାଁ ମଝିକୁ ଧସେଇ ପଶି ଆସିଥିଲେ। ଏନେଇ ଶତାଧିକ ଲୋକ ହାତୀପଲଙ୍କୁ ଘେରି ରହିଥିବା ବେଳେ ଏହି ହାତୀପଲ ଗାଁ ମଝିରେ ଥିବା ୟୁକାଲପଟାସ୍‌ ଜଙ୍ଗଲରେ ଡେରା ପକାଇଥିଲେ। ଏହି ହାତୀପଲରେ ଦୁଇଟି ଦନ୍ତା ହାତୀ ଥିବାବେଳେ ତିନୋଟି ଛୁଆ ତିନୋଟି ବୟସ୍କ ହାତୀ ରହିଛନ୍ତି। ଏ ସମ୍ପର୍କରେ ଖବର ପାଇ ଜଙ୍ଗଲ ବିଭାଗ ପହଞ୍ଚି ହାତୀ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ରଘୁନାଥପୁର ବିଟ୍‌ ଫରେଷ୍ଟର ସୁବ୍ରତ ପାତ୍ର ଅନ୍ୟ କର୍ମଚାରୀମାନେ ପହଞ୍ଚି ହାତୀମାନଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

Share