‘କାଳିଆ’ କେବଳ ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବାର ଚଞ୍ଚକତା: ପୃଥ୍ବୀରାଜ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଛିଡ଼ୁନି କାଳିଆ କେଁ। ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ଗୋଟିଏ ପଟେ ବିଜେଡି ତାଲିକାରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଥିବା କହୁଥିବା ବେଳେ ଏବେ ଏହାକୁ ଭାଜପା ଚ୍ୟାଲେଞ୍ଜ କରିଛି। ରାଜ୍ୟରେ ୨୦ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ଗୁରୁବାର ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଏଥିସହ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ଚାଷୀଙ୍କ ପ୍ରତି ଅପମାନ। ଯେଉଁମାନେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ କରିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୃଥ୍ବୀରାଜ ଦାବି କରିଛନ୍ତି।

ପୃଥ୍ବୀରାଜ କହିଛନ୍ତି, କାଳିଆ ଯୋଜନା କରି କେବଳ ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବାର ଚଞ୍ଚକତା କରିଛନ୍ତି ରାଜ୍ୟ ସରକାର। ବାସ୍ତବ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଚାଷୀଙ୍କ ତାଲିକା ଦେବାକୁ କୁହାଯାଇଥିଲା। ମାତ୍ର ରାଜ୍ୟ ସରକାର ଏହାକୁ ଘୁଞ୍ଚାଇ ଚାଲିବା ପରେ ଶେଷରେ ୧୨ ଲକ୍ଷ ଲୋକଙ୍କ ତାଲିକା ଦେଲେ। ସେଥିରେ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିଥିଲା। ଏହାକୁ ଯଦି ଦେଖାଯାଏ, ତେବେ ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଦେଇଥିବା କହୁଛନ୍ତି। ଏପରିକି ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ସଂଖ୍ୟାକୁ ୭୫ଲକ୍ଷ କରାଯିବ ବୋଲି କହିଥିଲେ। କେନ୍ଦ୍ରକୁ ଦିଆଯାଇଥିବା ତାଲିକା ଅନୁପାତରେ ଦେଖାଗଲେ ୩ ଲକ୍ଷ ୪୧ହଜାର ନୁହେଁ ବରଂ ୨୦ଲକ୍ଷ ଅଯୋଗ୍ୟ ହିତାଧିକାରୀ ହେବେ ବୋଲି ସେ କହିଛନ୍ତି।

ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିଶରେ କାଳିଆ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଛି। ଏନେଇ ରାଜ୍ୟ ପାଣ୍ଠିରୁ ୧୭୦ କୋଟି ଟଙ୍କା ଅପବ୍ୟୟ କରାଯାଇଛି। ଏହାର ତଦନ୍ତ କରାଯିବା ଆବଶ୍ୟକ। ଯେଉଁମାନେ ଚୟନ ପ୍ରକ୍ରିୟାରେ ଥିଲେ ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ ଦରକାର। କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ସଚିବଙ୍କ ଦରମାରୁ ଟଙ୍କା ଆଦାୟ କରାଯାଉ। ମାତ୍ର ଚାଷୀଙ୍କୁ ଧମକ ଦେଲେ ଭାଜପା ଆନ୍ଦୋଳନକୁ ଓହ୍ଲାଇବା ସହ କୋର୍ଟକୁ ଯିବ ବୋଲି ପୃଥ୍ବୀରାଜ କହିଛନ୍ତି।

Share