Categories: ଗଞ୍ଜାମ

କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ଅଭିଯୋଗ : ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଦିଗପହଣ୍ଡି,୨ା୬(ଡି.ଏନ୍‌.ଏ.)-ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନେଇ ଓଡ଼ିଶାର ଚାଷୀ ବହୁତ ଖୁସି ଓ ଉତ୍ସାହ ଥିବା ବେଳେ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ ପଞ୍ଚାୟତ ଯୁଗୁଡି ବଳଭଦ୍ରପୁର ଚାଷୀ କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ନେଇ ଅଭିଯୋଗ କରିଛନ୍ତି। କାଳିଆ ଯୋଜନାରେ ସରକାରଙ୍କ ପଞ୍ଜୀକୃତ ଚାଷୀମାନଙ୍କୁ ଟଙ୍କା ତିନୋଟି କିସ୍ତିରେ ମିଳିବାର ନିୟମ ରହିଥିଲେ ସୁଦ୍ଧା ପ୍ରଥମ କିସ୍ତିରେ ଗୋଟିଏ ପରିବାରର ସଂଖ୍ୟାଧିକ ଲୋକଙ୍କୁ ମିଳିବା ଓ ଅଣଚାଷୀ, ଧନୀ ଶ୍ରେଣୀର ଲୋକଙ୍କୁ ଟଙ୍କା ମିଳିଥିବାରୁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଶନିବାର ଏଥିରୁ ବଞ୍ଚତ୍ତ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଫିସ କାର୍ଯ୍ୟଳୟରେ ତାଲା ପକାଇଦେଇଥିଲେ। ଯଦ୍ୱାରା ଅଫିସ କାର୍ଯ୍ୟାଳୟ ପରିସର ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ସମବାୟ ସମିତି କର୍ମଚାରୀ ଅଧିକାରୀଙ୍କ ମନମୁଖୀ ଓ ଏକଚାଟିଆ ଶାସନ ଯୋଗୁ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି ସମବାୟ ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ସ୍ବାଇଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ତୁରନ୍ତ ପ୍ରକୃତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ସହ ପ୍ରଥମ କିସ୍ତି ପାଉଣା ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ଏହା ପୂରଣ ନ ହୁଏ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ କୃଷି ବିଭାଗ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ସମବାୟ ସମିତି ସେକ୍ରେଟାରୀ ସୁବାସ ଚନ୍ଦ୍ର ରାଉତ କହିଛନ୍ତି ଯେ, ଆମେ ଏହି ଭୁଲ ସମ୍ପର୍କରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ କହି ସମାଧାନ କରିବୁ। ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ହିଁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରଯାଇଛି।