Categories: ଭଦ୍ରକ

କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ତିହିଡ଼ି, ୬।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି। ସେମାନେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏ ଟଙ୍କା ପାଇସାରିଛନ୍ତି। ତେବେ ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍‌ କରାଯିବ ବୋଲି ସୋମବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କୃଷି ଅଫିସ୍‌ ଗୃହରେ କାଳିଆ ଯୋଜନାକୁ ନେଇ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ଏ ନେଇ ବ୍ଲକ କମିଟି ଓ ପଞ୍ଚାୟତ କମିଟି ମଧ୍ୟ ଗଠିତ ହୋଇଛି। ବ୍ଲକ କମିଟିରେ ତହସିଲଦାର, ବିଡିଓ, ବ୍ଲକ ସହକାରୀ କୃଷି ଅଧିକାରୀ, ପ୍ରାଣୀ ଚିକିତ୍ସାଧିକାରୀ ପ୍ରମୁଖ ଥିବାବେଳେ ପଞ୍ଚାୟତ କମିଟିରେ ରାଜସ୍ବ ନିରୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ, ପ୍ରାଣୀଧନ ନିରୀକ୍ଷକ, ସରପଞ୍ଚ ଓ ସମିତିସଭ୍ୟ ଅଛନ୍ତି। ପଞ୍ଚାୟତ କମିଟି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଯୋଗ୍ୟ କି ଅଯୋଗ୍ୟ ସେନେଇ ତଦନ୍ତ କରି ଆସନ୍ତା ୧୫ ତାରିଖ ମଧ୍ୟରେ ବ୍ଲକ କମିଟିକୁ ରିପୋର୍ଟ ଦେବ। ବ୍ଲକ କମିଟି ଏହାକୁ ଅନୁଧ୍ୟାନ କରି ଜିଲା କମିଟିକୁ ପଠାଇବ ବୋଲି ବୈଠକରେ କୁହାଯାଇଥିଲା।
ବିଭିନ୍ନ ଗ୍ରାମରେ ଗୋଟିଏ ପରିବାର ଏକାଧିକ ସଦସ୍ୟ, ଚାକିରିଆ ଥିବା ପରିବାର, ଧନୀକ ଶ୍ରେଣୀର ଲୋକ, ଗଁାରେ ରହୁ ନ ଥିବା ପରିବାର ପ୍ରମୁଖ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାକୁ ପଞ୍ଚାୟତ କମିଟି ତଦନ୍ତ କରି ଠିକ୍‌ ରିପୋର୍ଟ ପ୍ରଦାନ କରିବ। ବୈଠକରେ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ପୌରୋହିତ୍ୟ କରିଥିଲେ। ତହସିଲଦାର ଅନିତା ନାୟକ, ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ଦାସ, ଉଦ୍ୟାନ ବିଭାଗ ଅଧିକାରୀ ଉର୍ମିଳା ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ।