କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ କେଁ: ୩ ଲକ୍ଷ ୪୧ ହଜାର ନୁହେଁ କେବଳ ୩୨ ହଜାର ଥିବା କହିଲେ ପ୍ରତାପ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ଦିନକୁ ଦିନ କାଳିଆକୁ ନେଇ କେଁ ବଢ଼ିବାରେ ଲାଗିଛି। ମଙ୍ଗଳବାର ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖି ନୂତନ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଳିଆ ତାଲିକାରେ ୩ ଲକ୍ଷ ୪୧ହଜାର ନୁହେଁ କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କେବଳ ଟଙ୍କା ପାଇଥିବା ବଡ଼ ଚାଷୀ ଏବଂ ସରକାରୀ କର୍ମଚାରୀ ଅଯୋଗ୍ୟ ଅଟନ୍ତି। ସେହିଭଳି ଯେଉଁ ପରିବାରରୁ ଏକାଧିକ ବ୍ୟକ୍ତି ଏହି ଯୋଜନାରେ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହନ୍ତି। ମାତ୍ର ସେମାନେ ପରବର୍ତ୍ତୀ କିସ୍ତି ପାଇବେ ନାହିଁ। ଏଥିସହ ସେମାନେ ପାଇଥିବା ଟଙ୍କାକୁ ଆଡଜଷ୍ଟ(ବ୍ୟବସ୍ଥିତ) କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀ ଯାଞ୍ଚ ହେବା ପରେ ରାଜ୍ୟର ପ୍ରାୟ ୧୨ହଜାର ବଡ଼ଚାଷୀ, ୯ହଜାର ନାବାଳିକା/ନାବାଳକ ଏବଂ ପ୍ରାୟ ୨୦ହଜାର ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ଯୋଜନା ସୁବିଧା ପାଇଥିବା ତଥ୍ୟ ସାମ୍ନାକୁ ଆସିଥିଲା।

Share