କାଳିଆ ଯୋଜନା ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ୍‌ ତଥ୍ୟ ଦେଇଛନ୍ତି ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଯୋଜନାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି। ଦଳ ଅଭିଯୋଗ କରିଛି ଏହି ଯୋଜନାରେ ଯେତିକି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ତଥ୍ୟ ସରକାର ରଖିଛନ୍ତି ତାହା ଭୁଲ୍‌। ଜାଣିଶୁଣି ବିଧାନସଭାରେ ଭୁଲ୍‌ ତଥ୍ୟ ରଖାଯାଇଛି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି, କୃଷକ କଲ୍ୟାଣ ନଁାରେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନାରେ ସାମିଲ କରି ଟଙ୍କା ବାଣ୍ଟିଛନ୍ତି। ଏଭଳି ଅଭିଯୋଗକୁ ସରକାର ବାରମ୍ବାର ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ସତ କଥା ଧରାପଡିଛି। କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍‌ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ୪୫ ହଜାର ୯୬୫ ଜଣ ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଥିବା ସରକାର ହିସାବ ଦେଇଥିଲେ। ମାତ୍ର କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାର କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ସଂଗ୍ରହ କରିଛି। ଏଥିରୁ ହିଁ ଗୃହରେ ଦିଆଯାଇଥିବା ୩୦ ଜିଲାର ମୋଟ୍‌ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫୯୬୫ ଠାରୁ ବହୁ ଅଧିକ ହେବ ବୋଲି ଜଣାପିଡିଛି। ୧୦ଟି ଜିଲାର ୧ ଲକ୍ଷ ୭୨ ହଜାର ୯୦୮ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସୂଚନା ଅଧିକାର ଆଇନ ବଳରେ କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ସୁନ୍ଦରଗଡ, ସମ୍ବଲପୁର ଓ ସୋନପୁର ଜିଲାର ତଥ୍ୟ କୃଷି ଅଧିକାରୀମାନେ ଏହା ଦର୍ଶାଇଛନ୍ତି। ଖୁବ୍‌ଶୀଘ୍ର ୩୦ ଜିଲାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଖୁଲାସା କରାଯିବ ବୋଲି ସତ୍ୟ ପ୍ରକାଶ କହିଛନ୍ତି।

Share