କାଳିଆ ଯୋଜନା ଅର୍ଥ କାଟ୍‌କୁ ନବନିର୍ମାଣ କୃଷକ ସଂଗଠନର ବିରୋଧ: ଅକ୍ଷୟ କୁମାରଙ୍କୁ ଭେଟିଲେ ତଥାଗତ

ଭୁବନେଶ୍ୱର,୫।୧(ବ୍ୟୁରୋ): କାଳିଆ ଯୋଜନାରୁ ଅର୍ଥ କାଟକୁ ବିରୋଧ କରି ୨୦୧୯ ଡିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୁନ୍ଦରପଦାସ୍ଥିତ ବୀରବନ୍ଧ ରାଜ୍ୟ କାର୍ଯ୍ୟାଳୟରେ ଅନଶନରେ ବସିଛନ୍ତି। ଶୁକ୍ରବାର ଧରିତ୍ରୀ ତଥା ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଅନଶନ ସ୍ଥଳକୁ ଯାଇ ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଚାଷୀଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଜାନୁୟାରୀ ୪ ତାରିଖରୁ ଜିଲା ଓ ବ୍ଲକସ୍ତରରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରାଯାଇଛି ।
ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିବା ଏହି ବଡ଼ କୃଷିଭିତ୍ତିକ ଯୋଜନାରେ ଚାଷୀଙ୍କ ସହିତ ସରକାର ଧୋକାବାଜି କରିଛନ୍ତି। ୭୦ ଲକ୍ଷ ଚାଷୀଙ୍କୁ ରବି ଓ ଖରିଫ ଫସଲ ପାଇଁ ୧୦ ହଜାର ଲେଖାଏ ସହାୟତା ଦେବାକୁ ସରକାର ଘୋଷଣା କରିଥିଲେ। ପରେ ଏଥିରୁ ଓହରି ଯାଇଛନ୍ତି। ଚାଷୀଙ୍କ ପାଇଁ ଅର୍ଥାଭାବର ଆଳ ଦେଖାଇ ଏହି ଯୋଜନାରୁ ୬୦ ପ୍ରତିଶତ ଅର୍ଥ କାଟି ଦେଇଛନ୍ତି। ମାତ୍ର ସରକାରୀ ଚାକିରିଆମାନଙ୍କୁ ୬୦୦ କୋଟି ଟଙ୍କାର ବୋନସ ଦେବାକୁ ଆସନ୍ତା କେଇଦିନ ମଧ୍ୟରେ ଘୋଷଣା କରିବାକୁ ଯୋଜନା କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ବର୍ଦ୍ଧିତ ଦରମା ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଯଦି ପେନସନ ଓ ମହଙ୍ଗା ଭତ୍ତା ଅଛି ତେବେ ଚାଷୀଙ୍କ ପାଇଁ କାହିଁିକି ଅର୍ଥର ଅଭାବ ହେଉଛି ବୋଲି ଅକ୍ଷୟ କୁମାର ପ୍ରଶ୍ନ କରିଛନ୍ତି। ବିଜେଡିର ଭାତହାଣ୍ଡି କୁହାଯାଉଥିବା ଉପକୂଳ ଓଡିଶାର ଅଧିକାଂଶ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଗରୁ ବିଜେଡି ଠିକା କାମ ଯୋଗାଇ କର୍ମୀମାନଙ୍କୁ ବାନ୍ଧି ରଖୁଥିଲା। ସେହି କାମଗୁଡିକ ଏବେ ଏଲ ଆଣ୍ଡ ଟି ଏବଂ ଓ୍ବାଟ୍‌କୋ କମ୍ପାନୀ ଜରିଆରେ କରାଯାଉଛି। ଚାଷୀଙ୍କ ଜୀବିକା ବଞ୍ଚାଇବାଠାରୁ ନିଜର ଭୋଟ ଥଳି ଭରିବା ପାଇଁ କାଳିଆ ଯୋଜନା କରାଯାଇ ବିଜେଡି କର୍ମୀଙ୍କୁ ଅର୍ଥ ଦିଆଯିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଥିଲେ ତାହା ସତରେ ପରିଣତ ହୋଇଛି। ବିରୋଧୀ ଭାଜପା କିମ୍ବା କଂଗ୍ରେସ ଦଳ ଏ ନେଇ ଆନ୍ଦୋଳନ କରୁ ନ ଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବ ବୋଲି ସଂଗଠନର ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ଆଲୋଚନା ବେଳେ ସଂଗଠନର ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ, କୁଳମଣି, ସୁରେନ୍ଦ୍ର ନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share