କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

ନୂଆପଡ଼ା ଅଫିସ,୨୧।୪-ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଭଏଁଷାଟାଲ ଗ୍ରାମପଞ୍ଚାୟତ ଭଣ୍ଡାରପୁରୀ ଗାଁ ମଝିରେ ଥିବା ଏକ ବୃହଦାକାୟ ପିପଲ ଗଛ କାଳ ବୈଶାଖୀ ପ୍ରଭାବରେ ଭାଙ୍ଗି ପଡି ଘର ଉପରେ ପଡିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ବାପା ପୁନିତରାମ ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ନୂଆପଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗଣେଶୀବାଈ ତାଣ୍ଡି(୪୫) ଓ ଝିଅ ତୁଲସୀ ତାଣ୍ଡି(୧୫। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କାଳ ବୈଶାଖୀ ଯୋଗୁ ପ୍ରବଳ ଝଡତୋଫାନ ହୋଇଥିଲା। ଭଣ୍ଡାରପୁରୀ ଗାଁ ମଝିରେ ଥିବା ପିପଲ ଗଛ ହଠାତ୍‌ ଉପୁଡ଼ି ପଡି ପୁନିତରାମଙ୍କ ଦୁଇଟି ଇନ୍ଦିରାଆବାସ ଘର ଉପରେ ପଡିଥିଲା। ଫଳରେ ଘର ଦୁଇଟି ଭାଙ୍ଗି ପଡିଥିଲା।ଗୋଟିଏ ଘରେ ଶୋଇଥିବା ପୁନିତଙ୍କ ସ୍ତ୍ରୀ ଗଣେଶୀ ବାଈ ଏବଂ ତାଙ୍କ ଝିଅ ତୁଲସୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ଘରେ ଶୋଇଥିବା ପୁନିତ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ଜୋଙ୍କ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଉଦ୍ଧାର କରି ନୂଆପଡାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତ ପୁନିତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଏକ ଅପମୃତ୍ୟୁ(୧୦/୧୯) ମାମଲା ରୁଜୁ କରିଛି।  ପୋଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପୁନିତ ଏବଂ ତାଙ୍କ ପୁଅ ମତିରାମ କାର୍ଯ୍ୟାଦେଶ ପାଇ ଦୁଇଟି ଇନ୍ଦିରାଆବାସ ନିର୍ମାଣ କରିଥିଲେ। ହେଲେ କିଛି ଦିନ ହେଲା ମତିରାମ ନିଜ ଶ୍ୱଶୁର ଘର ପରକୋଡରେ ରହୁଥିଲେ। ଗତ ୪ ମାସ ହେବ ପୁନିତରାମ ନିଜ ପରିବାର ସହ ଏହି ଦୁଇ ଇନ୍ଦିରାଆବାସରେ ରହୁଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।