Categories: ଜାତୀୟ

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟ୍ରେନ୍‌ରେ ଗୋଟିଏ ସିଟ୍‌ ସଂରକ୍ଷିତ ହୋଇ ରହିଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅସଦୁଦ୍ଦିନ ଓ ଓ୍ବାଇସି। ସୂଚନାଯୋଗ୍ୟ, ଏହି ଟ୍ରେନ୍‌ ୨ଟି ରାଜ୍ୟର ୩ ଜ୍ୟୋର୍ତିଲିଙ୍ଗ ଦେଇ ଗସ୍ତ କରିବ। ଏହି ଟ୍ରେନ୍‌ ଇନ୍ଦୋର ନିକଟ ଓଁକାେଶ୍ୱେର, ଉଜ୍ଜୟିନୀରେ ମହାକାଳେଶ୍ୱର ଓ ବାରାଣସୀରେ କାଶୀ ବିଶ୍ୱନାଥଙ୍କ ସହ ସଂଯୋଗ କରିବ। ସୂଚନାଯୋଗ୍ୟ, ଭଗବାନ ଶିବଙ୍କ ପାଇଁ ସିଟ୍‌ ସଂରକ୍ଷଣ କରିବାକୁ ନେଇ ରେଲଓ୍ବେ ପ୍ରଶାସନ ଏହାକୁ ବିଚାରକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ୫ ନମ୍ବର ବଗିରେ ଥିବା ୬୪ ନମ୍ବର ସିଟ୍‌ ଭଗବାନ ଶିବଙ୍କ ପାଇଁ ସଂରକ୍ଷିତ ରହିଛି। ପ୍ରଥମଥର ଲାଗି ରେଲଓ୍ବେରେ ଭଗବାନଙ୍କ ପାଇଁ ସିଟ୍‌ ସଂରକ୍ଷିତ କରାଯାଇଥିବା ଦେଖାଯାଇଛି। ଏମିତିକି ଏଥିପାଇଁ ଉଦ୍ଦିଷ୍ଟ ସିଟ୍‌ରେ ଏକ ଛୋଟ ମନ୍ଦିର ମଧ୍ୟ ତିଆରି କରାଯାଇଛି। ଫଳରେ ଯାତ୍ରୀ ଏ ବିଷୟରେ ଅବଗତ ହୋଇପାରିବେ ବୋଲି କୁହାଯାଉଛି।

Share