କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ ଏକ ନୂଆ ପ୍ରକାରର ଉପକରଣ ନିର୍ମାଣ କରାଯାଇଛି। ଏହି ଉପକରଣ କାଶ ଏବଂ ନିଶ୍ୱାସପ୍ରଶ୍ୱାସ ଶୈଳୀରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସକ୍ଷମ ହେବ ବୋଲି ଆଇଆଇଏସ୍‌ସି କହିଛି। ଏହାଦ୍ୱାରା ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣର ଆଶଙ୍କା ରହିବ ନାହିଁ। ଏହି ଉପକରଣ ଦ୍ୱାରା ନିଶ୍ୱାସପ୍ରଶ୍ୱାସ ତରଙ୍ଗ ଏବଂ କାଶରୁ ଏକ ବାୟୋମାର୍କର ପ୍ରସ୍ତୁତ କରାଯିବ। ଏନେଇ ୮ ଜଣ ଗବେଷକ ଗବେଷଣା ଜାରି ରଖିଛନ୍ତି। ନିଶ୍ୱାସପ୍ରଶ୍ୱାସ ତରଙ୍ଗ ଏବଂ କାଶକୁ ୫ ମିନିଟ୍‌ ପର୍ଯ୍ୟନ୍ତ ରେକର୍ଡିଂ କରାଯିବା ପରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ପରୀକ୍ଷା କରାଯିବ। ଗବେଷଣାରୁ ମିଳିଥିବା ଜ୍ଞାନକୁ ପୃଥିବୀର ଅନ୍ୟ ଦେଶର ବୈଜ୍ଞାନିକଙ୍କୁ ଜଣାଇ ଦିଆଯିବ ଯାହାଦ୍ୱାରା କରୋନ ସହିତ ଲଢ଼େଇ କରିବାରେ ସହଜ ହେବ ବୋଲି ଆଇଆଇଏସ୍‌ସିର ପ୍ରଫେସର ଶ୍ରୀରାମ ଗଣପତି ସୂଚନା ଦେଇଛନ୍ତି।

Share