ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ: କଳାରେ ୬୫.୮୯%, ବାଣିଜ୍ୟରେ ୭୦.୨୬% ପାସ୍‌ ହାର; www.chseodisha.nic.in ରେ ଜାଣନ୍ତୁ ରେଜଲ୍ଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଛାତ୍ରୀଛାତ୍ରମାନେ www.chseodisha.nic.in ଏବଂ http://orissaresults.nic.in ଓ୍ବେବ୍‌ସାଇଟ୍‌ରେ ନିଜର ପରୀକ୍ଷାଫଳ ଦେଖିପାରିବେ।

ଚଳିତ ବର୍ଷ କଳାରେ ପାସ ହାର ୬୫.୮୯% ରହିଛି। କଳାରେ ୨,୩୧,୧୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧, ୫୨, ୩୨୩ ଜଣ ପାସ୍‌ କରିଛନ୍ତି। ପାସ୍‌ ହାରରେ ବାଲେଶ୍ୱର ସର୍ବାଧିକ(୭୫.୬୭%) ରହିଥିବା ବେଳେନବରଙ୍ଗପୁର ଜିଲାରେ ସର୍ବନିମ୍ନ(୪୭.୪୬%) ରହିଛି। କଳାରେ ଦୁଇଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍‌ କରିନାହାନ୍ତି। ଖୋର୍ଦ୍ଧା ଜିଲାର ୧ଟି ଓ ଯାଜପୁର ଜିଲାର ୧ଟି କଲେଜରେ ଶୂନ ରେଜଲ ହୋଇଛି।

ସେହିଭଳି ବାଣିଜ୍ୟରେ ପାସ୍‌ ହାର ୭୦.୨୬% ରହିଛି। ୨୬, ୭୯୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୮, ୮୨୬ଜଣ। ପାସ୍‌ ହାର ଖୋର୍ଦ୍ଧାରେ ସର୍ବାଧିକ ୮୬.୮୯% ଓ ଦେବଗଡ଼ରେ ସର୍ବନିମ୍ନ ୨୪.୩୪% ରହିଛି। ବାଣିଜ୍ୟରେ ୪ କଲେଜର ସମସ୍ତ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି। ତେବେ ଗତ ବର୍ଷ ତୁଳନାରେ ପାସ୍‌ ହାର କମିଥିବାରୁ ଏହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share