କାହା ସ୍ବାର୍ଥରେ କୃଷି ଅଧ୍ୟାଦେଶ

ଭାଲଚନ୍ଦ୍ର ଷଡ଼ଙ୍ଗୀ

କରୋନାର ମୁକାବିଲା ନାଁରେ କେନ୍ଦ୍ର ସରକାରଙ୍କ ବହୁପ୍ରଚାରିତ ଲକ୍‌ଡାଉନ୍‌ ଡାକରା ଦେଶରେ ମହାମାରୀର କ୍ରମବର୍ଦ୍ଧମାନ ପ୍ରକୋପକୁ ତ ରୋକିପାରିଲାନି ବରଂ ଜନସଂଖ୍ୟାର ସିଂହଭାଗ ରୂପେ ପରିଚିତ କୃଷକ ଓ ଶ୍ରମିକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ହିଁ ଭାଙ୍ଗିଦେବା ଦେଖାଯାଇଛି। ମହାମାରୀ ପୂର୍ବରୁ ହିଁ ଭୟଙ୍କର ସଙ୍କଟକୁ ସାମ୍‌ନା କରୁଥିବା ଦେଶର କୃଷକ ଶ୍ରେଣୀ ପାଇଁ ଦୁଇ ମାସରୁ ଊର୍ଦ୍ଧ୍ୱ ଲକ୍‌ଡାଉନ୍‌ ବେଡ଼ି ଉପରେ କୋରଡ଼ାର ମାଡ଼ ପରି ହୋଇଥିବା ବେଳେ ସରକାର ସେମାନଙ୍କ ଦୁର୍ଦ୍ଦଶାକୁ ଦୂର କରିବାକୁ କୌଣସି ପ୍ରକାର ସହାୟତାର ପ୍ୟାକେଜ୍‌ ଦେବା ପରିବର୍ତ୍ତେ ସେମାନଙ୍କୁ ସ୍ବାଧୀନତା ଦେବା ନାଁରେ ନିକଟରେ ଯେଉଁ ତିନୋଟି ଅଧ୍ୟାଦେଶ ଆଣିଛନ୍ତି ତାହା ସମଗ୍ର କୃଷିକ୍ଷେତ୍ରକୁ ଦେଶୀ ବିଦେଶୀ ବୃହତ୍‌ କର୍ପୋରେଟ୍‌ମାନଙ୍କ ହାତରେ ଟେକିଦେବା ସହ ଦେଶର କୋଟି କୋଟି କୃଷକଙ୍କୁ କୃଷିରୁ ବିସ୍ଥାପିତ କରିବାକୁ ଯାଉଛି।
ସରକାରଙ୍କ ଦ୍ୱାରା ଜାରି କୃଷି ସମ୍ପର୍କିତ ଉପରୋକ୍ତ ତିନୋଟି ଅଧ୍ୟାଦେଶ ଯଥା ୧) ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ସଂଶୋଧନ) ଅଧ୍ୟାଦେଶ -୨୦୨୦, ୨) କୃଷି ଉପତ୍ାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସହଯୋଗ) ଅଧ୍ୟାଦେଶ ୨୦୨୦ ଏବଂ କୃଷକଙ୍କ ମୂଲ୍ୟ ଆଶ୍ୱାସନ ଓ କୃଷିସେବା ଅଧ୍ୟାଦେଶ ୨୦୨୦ ଇତି ମଧ୍ୟରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇ ସାରିଛି। କେନ୍ଦ୍ର ସରକାରଙ୍କ ପୂର୍ବରୁ ଓଡ଼ିଶା ସରକାର ମଧ୍ୟ ଏ ସମ୍ପର୍କିତ ଦୁଇଟି ଅଧ୍ୟାଦେଶ ଜାରି କରିଛନ୍ତି। ଦେଶରେ ଲକ୍‌ଡାଉନ୍‌ର ଆଢ଼ୁଆଳରେ ଅର୍ଥାତ୍‌ ଯେତେବେଳେ ମହାମାରୀ ନାଁରେ ଦେଶରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ ଓ ଆନ୍ଦୋଳନ ଉପରେ କଟକଣା ରହିଛି, ତାହାରି ସୁଯୋଗ ନେଇ ସରକାର ନିଜର ବହୁ ପ୍ରତୀକ୍ଷିତ ନୀତିକୁ ଲାଗୁ କରିବାକୁ ସୁଯୋଗ ପାଇଛନ୍ତି। ଏ କ୍ଷେତ୍ରରେ, ଅଧ୍ୟାଦେଶ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ବିଭିନ୍ନ ପକ୍ଷ ବିଶେଷ କରି କୃଷକ, କୃଷି ଶ୍ରମିକ ଏବଂ ଉପଭୋକ୍ତାମାନଙ୍କ ଏପରି କି ବିଭିନ୍ନ ରାଜ୍ୟ ସରକାରମାନଙ୍କ ମତାମତ ନିଆଯାଇନି କି ସଂସଦରେ ଏନେଇ ଚର୍ଚ୍ଚା କରିବାକୁ ବି ସରକାର ଚାହିଁ ନାହାନ୍ତି।
ଦେଶରେ ଜନଗଣଙ୍କ ପାଇଁ ଅତ୍ୟାବଶ୍ୟକ ମନେହେଉଥିବା ବିଭିନ୍ନ ସାମଗ୍ରୀ ଏବଂ କୃଷି ଉପତ୍ାଦର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଅତୀତରେ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫’ର ପ୍ରଣୟନ ହୋଇଥିଲା। ସେସବୁ ସାମଗ୍ରୀର ଜମାଖୋରି ଏବଂ କଳାବଜାର ଫଳରେ ଉପଭୋକ୍ତାର ସାଧାରଣ ଜୀବନଯାପନ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଦେଶରେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଏହି ଆଇନର ଉଦ୍ଦେଶ୍ୟ ଥିଲା। ଏହାରି ଅନ୍ତର୍ଗତ ସରକାରଙ୍କୁ ଅତ୍ୟାବଶ୍ୟକ ବୋଲି ଘୋଷିତ ସାମଗ୍ରୀର ଉପତ୍ାଦନ, ଭଣ୍ଡାରଣ, ଯୋଗାଣ, ବିତରଣ ଏବଂ ଉଚିତ ଦାମ୍‌କୁ ସୁନିଶ୍ଚିତ କରିବାକୁ ଅଧିକାର ଦିଆଯାଇଛି। ଏହି ଆଇନ କାରଣରୁ ବଡ଼ କମ୍ପାନୀମାନଙ୍କ ପାଇଁ ଏସବୁ ଜିନିଷକୁ ବିପୁଳ ପରିମାଣରେ ଗଚ୍ଛିତ ରଖି ବଜାରରେ ସେସବୁର କୃତ୍ରିମ ଅଭାବ ସୃଷ୍ଟି କରିବା ଏବଂ ମନଇଚ୍ଛା ଦରରେ ବିକ୍ରି କରି ସାଧାରଣ ଜନତାଙ୍କୁ ଲୁଟିବା ସମ୍ଭବ ହେଉ ନ ଥିଲା।
ତେବେ ସରକାରଙ୍କ ସଦ୍ୟତମ ଅଧ୍ୟାଦେଶଟି ଖାଦ୍ୟଶସ୍ୟ, ଡାଲି ଜାତୀୟ ଖାଦ୍ୟ, ତୈଳଜାତ ପଦାର୍ଥ, ପିଆଜ ଏବଂ ଆଳୁ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାହାର କରିଦେଇ ବଡ଼ କମ୍ପାନୀଙ୍କ ଲୁଟ୍‌ ପାଇଁ ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏହାଦ୍ୱାରା ଦେଶର କୃଷକ ଏବଂ ଉପଭୋକ୍ତାଙ୍କର ତ କୌଣସି ଲାଭ ହେବାର ନାହିଁ ବରଂ କୃଷି ଉପତ୍ାଦର ବ୍ୟବସାୟ କରୁଥିବା ୱାଲମାର୍ଟ, ସିନ୍‌ଜେଣ୍ଟା ଓ ରିଲାଏନ୍ସ ପରି ଦେଶୀ ବିଦେଶୀ ବୃହତ୍‌ କମ୍ପାନୀମାନେ ଏଣିକି ଏସବୁ ସାମଗ୍ରୀର ବଜାର ଉପରେ ନିଜର ଏକାଧିକାର ପ୍ରତିଷ୍ଠା କରିବାର ସୁଯୋଗ ପାଇବେ। ସେମାନେ ଆଇନଗତ ଭାବେ ବିପୁଳ ପରିମାଣରେ ପଦାର୍ଥକୁ ଗୋଦାମରେ ଗଚ୍ଛିତ ରଖିପାରିବେ, ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦାମ୍‌ରେ ଦେଶର ଏବଂ ବିଦେଶୀ ବଜାରରେ ବିକ୍ରି କରିବାକୁ ସ୍ବାଧୀନତା ପାଇଯିବେ ।
ଯେତେବେଳେ ସରକାରୀ ଘୋଷିତ ସହାୟକ ମୂଲ୍ୟ ଲାଭଜନକ ହେଉନାହିଁ, ସରକାରୀ ସଂଗ୍ରହର ପରିମାଣ ହ୍ରାସ ପାଇବାରେ ଲାଗିଛି, ଖାଦ୍ୟ ନିଗମ ୨.୨୫ ଲକ୍ଷ କୋଟିର ଋଣରେ ବୁଡ଼ି ରହିଛି ଏବଂ ତାକୁ ବିକ୍ରି କରିବାକୁ ଷଡ଼ଯନ୍ତ୍ର ଚାଲିଛି, ସେଭଳି ସ୍ଥିତିରେ ଏହି ଅଧ୍ୟାଦେଶ ଦେଶର ଖାଦ୍ୟଶସ୍ୟ ଓ କୃଷି ଉତ୍ପାଦର ବଜାରକୁ ଦେଶୀ ବିଦେଶୀ ବୃହତ୍‌ କମ୍ପାନୀଙ୍କ ଏକାଧିକାର ପ୍ରତିଷ୍ଠା କରିବାକୁ ଉଦ୍ଦିଷ୍ଟ। ସରକାର କୃଷକଙ୍କ ନା ଋଣଭାରକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ନା ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ ଅନୁଯାୟୀ ସହାୟକ ଦରରେ ଫସଲର ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି। କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରୁଥିବା ଏହି ସରକାରର ଶାସନ କାଳରେ ସହାୟକ ଦରରେ ପ୍ରତିବର୍ଷ ମାତ୍ର ୩-୫ପ୍ରତିଶତ ହିଁ ବୃଦ୍ଧି କରାଯାଇଛି, ଯାହା କି ମୁଦ୍ରାସ୍ଫୀତି ଠାରୁ ବି କମ୍‌ ।
ସରକାର ‘ଏକ ଦେଶ, ଏକ କୃଷି ବଜାର’ ନାଁରେ କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟାପାର ଅଧ୍ୟାଦେଶ ୨୦୨୦କୁ ଜାରି କରିବା ସହିତ ଇ-ନାମ୍‌ ବ୍ୟବସ୍ଥାର ଘୋଷଣା କରିଛନ୍ତି। ଏହାଦ୍ୱାରା କୌଣସି ପ୍ରକାର ଆଞ୍ଚଳିକ ପ୍ରତିବନ୍ଧକ ବିନା ଏଣିକି ଯେ କୌଣସି ରାଜ୍ୟରେ ବି କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟ କରାଯାଇପାରିବ। ଏହି ନିଷ୍ପତ୍ତିର ଫାଇଦାଟି ଦେଶର ଚାଷୀଙ୍କ ବଦଳରେ ବୃହତ୍‌ କମ୍ପାନୀମାନଙ୍କୁ ହିଁ ମିଳିବାକୁ ଯାଉଛି। ସେମାନେ ନିଜର ବିପୁଳ ପୁଞ୍ଜି ବଳରେ ଦେଶର ବିଭିନ୍ନ ପ୍ରାନ୍ତରୁ ସର୍ବାଧିକ ଶସ୍ତାରେ କୃଷି ଉପତ୍ାଦକୁ ବିନା ପ୍ରତିବନ୍ଧକରେ କିଣିପାରିବେ। ବିଶେଷ କରି ଫସଲର ଅମଳ ସମୟରେ ଯେତେବେଳେ ଚାଷୀଙ୍କୁ ସବୁଠାରୁ ବେଶି ସୁରକ୍ଷା ଆବଶ୍ୟକ ସେତେବେଳେ ସେମାନେ ନିଜର ପୁଞ୍ଜି ବଳରେ କୃତ୍ରିମ ଭାବେ ଦାମ୍‌କୁ କମାଇ ଚାଷୀଙ୍କୁ ଅଭାବୀ ବିକ୍ରି ପାଇଁ ବାଧ୍ୟ କରିବା ସହ ବିପୁଳ ମୁନାଫା କମାଇବେ।
କୃଷକ ଏବଂ କୃଷିସେବା ଅଧ୍ୟାଦେଶ ୨୦୨୦ ନାଁରେ ସରକାରଙ୍କ ତୃତୀୟ ଅଧ୍ୟାଦେଶଟି ଦେଶରେ ଠିକା ଚାଷକୁ ଅନୁମତି ଦେବାକୁ ଉଦ୍ଦିଷ୍ଟ। ଏହା ଜରିଆରେ ଏଣିକି ବଡ଼ କମ୍ପାନୀମାନେ ଚାଷୀଙ୍କଠାରୁ ଜମିକୁ ଠିକାରେ ନେଇ ହଜାର ହଜାର ଏକରର ବିରାଟକାୟ ଫାର୍ମ କରି ଚାଷ କରିବେ। ଆମ ଦେଶର ୮୦ପ୍ରତିଶତରୁ ଅଧିକ ଚାଷୀ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ହୋଇଥିବା ଯୋଗୁ କମ୍ପାନୀ ହାତକୁ ଚାଷ ଜମି ଚାଲିଗଲେ ସେମାନେ ଚାଷରୁ ବେଦଖଲ ହୋଇ ନିଜର ଜୀବିକା ହରାଇବେ। କମ୍ପାନୀର କୃଷିଫାର୍ମ ସବୁ ଅଧିକରୁ ଅଧିକ ଯାନ୍ତ୍ରିକ ହେବା ଯୋଗୁ ସେସବୁ ଜମିରେ ଆଗରୁ କାମ ପାଉଥିବା କୃଷି ଶ୍ରମିକମାନେ ନିଜର ରୋଜଗାର ହରାଇବେ। ଏଯାଏ ଠିକା ଚାଷକୁ ଅନୁମତି ଦିଆଯାଇଥିବା ରାଜ୍ୟମାନଙ୍କରେ କମ୍ପାନୀଙ୍କ ଦ୍ୱାରା ଚାଷୀଙ୍କୁ ପ୍ରତାରଣା, ଶୋଷଣ ଏବଂ ଫସଲର ଅଭାବୀ ବିକ୍ରି ଆଦିର ଅନେକ ତିକ୍ତ ଅନୁଭୂତି ରହିଥିବା ବେଳେ ସରକାର ସେଥିରୁ ଶିକ୍ଷା ନ ନେଇ ପୁଣିଥରେ ସେଭଳି ନୀତିକୁ ହିଁ ଲାଗୁ କରି ଦେଶର ବଡ଼ ପୁଞ୍ଜିପତ୍ତି ଓ ବଡ଼ ଜମିଦାରମାନଙ୍କ ସ୍ବାର୍ଥରେ କାମ କରୁଛନ୍ତି।
ଆମ ରାଜ୍ୟର ଅର୍ଦ୍ଧେକ ଚାଷଜମି ଭାଗଚାଷରେ ଥିବାରୁ ଏବଂ ଏଯାଏ ଭାଗଚାଷୀଙ୍କୁ ଆଇନଗତ ଅଧିକାର ଦିଆଯାଇ ନ ଥିବାରୁ ସେମାନେ ଚାଷୀ ପାଇଁ ଉଦ୍ଦିଷ୍ଟ ସାର, କୀଟନାଶକ, ବିହନ, ଜଳସେଚନ, ବ୍ୟାଙ୍କ୍‌ ଋଣ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥାନ୍ତି। ରାଜ୍ୟର ଭାଗଚାଷୀଙ୍କ ଏଭଳି ଦୁରବସ୍ଥା ସେମାନଙ୍କୁ ଆର୍ଥିକ ଭାବେ କ୍ଷତିଗ୍ରସ୍ତ କରିବା ସହିତ ରାଜ୍ୟରେ କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିରେ ସରକାର ଗତ ନିର୍ବାଚନ ପୂର୍ବରୁ ଏନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ସହିତ ଭାଗଚାଷୀଙ୍କୁ ଅଧିକାର ଦେବାକୁ ଆଇନରେ ସଂଶୋଧନ କରିବାର ନାଟକ କରିଥିଲେ। କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶର ଅନେକ ପୂର୍ବରୁ ଲକ୍‌ଡାଉନ୍‌ ସମୟରେ ଅତ୍ୟନ୍ତ ତରବରିଆ ଭାବେ ଓଡ଼ିଶା ସରକାର ଠିକା ଚାଷକୁ ଅନୁମତି ଦେବା ପାଇଁ ଯେଉଁ ଅଧ୍ୟାଦେଶ ଆଣିଲେ ତାହା ଲକ୍ଷ ଲକ୍ଷ ଭାଗଚାଷୀଙ୍କୁ ପ୍ରତାରିତ କରି ସେମାନଙ୍କ ହାତରୁ ଜମିକୁ ଛଡ଼ାଇ ବଡ଼ ବଡ଼ କମ୍ପାନୀଙ୍କ ହାତରେ ଜମି ଟେକିଦେବାକୁ ଯାଉଛି।
ମୋଦି ସରକାରଙ୍କ ଦ୍ୱାରା ନବଉଦାର ନୀତିକୁ ଲାଗୁ କରିବାର ପରିଣାମ ସ୍ବରୂପ ଦେଶରେ କୃଷି ସଙ୍କଟ ଉତ୍କଟ ହେବା ସହିତ କୃଷକ ଆତ୍ମହତ୍ୟା ଲଗାତର ବଢ଼ିବାରେ ଲାଗିଛି। କୃଷିସଙ୍କଟର ସମାଧାନ ତଥା ନିଜର ପ୍ରତିଶ୍ରୁତି ମୁତାବକ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ସରକାର କୃଷିକୁ ବୃହତ୍‌ କର୍ପୋରେଟ୍‌ଙ୍କ ହାତରେ ଟେକିଦେବାକୁ ଯେଉଁ ବିପଜ୍ଜନକ ପଦକ୍ଷେପ ନେଉଛନ୍ତି ତାହା କୃଷକଙ୍କୁ ସ୍ବାଧୀନତା ନାଁରେ କୋଟି କୋଟି କୃଷକଙ୍କୁ କୃଷିରୁ ବାହାର କରିଦେବାକୁ ଯାଉଛି। ଲକ୍‌ଡାଉନ୍‌ର ଆଢ଼ୁଆଳରେ ଅଣାଯାଇଥିବା ଉପରୋକ୍ତ ତିନୋଟି ଅଧ୍ୟାଦେଶ ଦେଶର କୃଷକ, କୃଷି ଶ୍ରମିକ ଏବଂ ସାଧାରଣ ଉପଭୋକ୍ତାଙ୍କ ଟ୍ରିପଲ ମର୍ଡର ପରି ମନେହେଉଛି। କର୍ପୋରେଟ୍‌ଙ୍କ ପାଇଁ ଦେଶର କୃଷିକ୍ଷେତ୍ରକୁ ସମ୍ପୂର୍ଣ୍ଣ ଖୋଲିଦେବାର ଏହି ନିଷ୍ପତ୍ତି କୃଷକଙ୍କ କୃଷି, କୃଷି ଶ୍ରମିକଙ୍କ ଜୀବିକା ଏବଂ ସାଧାରଣ ଖାଉଟିଙ୍କ ସ୍ବାର୍ଥ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇପାରେ।

ଫୋନ୍‌ : ୯୪୩୭୧୬୬୩୯୧
ଇମେଲ୍‌: bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri