କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ ଫେରି ଯେଉଁଭଳି ବିଭିନ୍ନ ପାର୍ଟିରେ ଯୋଗ ଦେଲେ ଓ ପରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଲେ ତାକୁ ନେଇ ସେ ଅନେକଙ୍କ ନିକଟରେ ନିନ୍ଦାର ପାତ୍ର ହୋଇଯାଉଛନ୍ତି। ଚିକିତ୍ସା ପରେ ଏବେବି ଅର୍ଥାତ୍‌ ସୋମବାର ତାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଏହି ସମୟରେ କନିକାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କନିକା ତାଙ୍କ ଜୀବନର କିଛି ଅକୁହା କଥା କହିଛନ୍ତି ବୋଲି କୁହାଯାଉଛି। ଏକ ସାକ୍ଷାତ୍‌କାର ମାଧ୍ୟମରେ ଜଣାପଡିଛି କନିକା ମାତ୍ର ୧୮ ବର୍ଷ ବୟସରେ ବିବାହ କରିଥିବା ବେଳେ ୧୯୯୭ରେ ସେ ତାଙ୍କ ସ୍ବାମୀ ରାଜ ଚନ୍ଦୁକଙ୍କ ସହ ଭାରତ ଛାଡି ଲଣ୍ଡନରେ ରହିଥିଲେ। ଏହାପରେ ସେ ୩ ସନ୍ତାନର ଜନନୀ ବି ହୋଇଥିଲେ। ହେଲେ ପାରିବାରିକ କଳହ ଯୋଗୁ ପ୍ରାୟ ୨୦୧୦ରେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ଭାରତ ଚାଲି ଆସିଥିଲେ। ଏହାପରେ ଆରମ୍ଭ ହୋଇଥିବା କନିକାଙ୍କର ଦୁର୍ଦ୍ଦିନ। ପାଖରେ ଅର୍ଥ ନ ଥିବା ବେଳେ ତିନି ତିନୋଟି ପିଲାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ସେପଟେ ସ୍ବାମୀଙ୍କ ବିରୋଧରେ ମାମଲା ଚାଲିଥିବାରୁ ଓକିଲଙ୍କୁ ଅର୍ଥ ଦେବାକୁ ମଧ୍ୟ ସେ ସକ୍ଷମ ହେଉ ନ ଥିଲେ। ଏମିତି ସମୟରେ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଏକ ସାକ୍ଷାତ୍‌କାରରେ କହିଥିବା ଜଣାପଡିଛି। ହେଲେ ୨୦୧୨ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କଲେ। ଆଉ ୨୦୧୪ରେ ବଲିଉଡ୍‌ ମୁଭି ‘ରାଗିଣୀ ଏମ୍‌ଏମ୍‌ଏସ୍‌ ୨’ର ବେବି ଡଲ ଗୀତ ତାଙ୍କୁ ଏକ ନୂଆ ପରିଚୟ ଦେଲା। ସେବେଠାରୁ ସେ ଆଉ ପଛକୁ ନ ଚାହିଁ ଏବେ ଜଣେ ଆଗଧାଡିର ଗାୟିକା ଭାବେ ପରିଚିତ ହୋଇଛନ୍ତି।

Share