Posted inଆମ ଜିଲା ଖବର, ନବରଙ୍ଗପୁର, ରାଜ୍ୟ
କାହିଁକି ଆଶାକର୍ମୀ ଡାଳିମ୍ବ ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ
ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍ ବ୍ୟଥିତ କରୁଥିଲା ଯେଉଁଥିପାଇଁ ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଏହି ପଣ ନେଇ ଗତ୧୯ ବର୍ଷ ଧରି ବିନା ବାଛବିଚାରରେ ନିରବଛିନ୍ନ ଭାବେ ସେ ସେବା ଯୋଗାଇ ସଫଳ ହୋଇଛନ୍ତି । ତାଙ୍କ ସଫଳ କର୍ତ୍ତବ୍ୟ ନିଷ୍ଠ ପାଇଁ ତାଙ୍କୁ କୁହାଯାଉଛି ଉପାନ୍ତ ଅଞ୍ଚଳର ନାଇଟଆଞ୍ଜେଲ।
ସେ ହେଉଛନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଆଶା କର୍ମୀ ଡାଳିମ୍ବ ଭତ୍ରା ।ଜିଲାର ଉପାନ୍ତ ଅଞ୍ଚଳ ଝରିଗାଁ ବ୍ଲକର ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା ୨୦୦୫ରେ ଆଶା କର୍ମୀଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଗାଁକୁ ବ୍ୟାଧି ମୁକ୍ତ କରିବା ସହ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରିବାକୁ ପଣ କରିଥିଲେ । ଯେଉଁଥି ପାଇଁ ସେ ଅନେକ ତ୍ୟାଗ କରିଛନ୍ତି । ପରିବାର ପିଲା ଛୁଆକୁ ପଛକୁ ଠେଲି ଦେଇ ନିଜ କର୍ତ୍ତବ୍ୟକୁ ଆଗରେ ରଖି କାର୍ଯ୍ୟ କରିଛନ୍ତି । ଡାଲିମ୍ବ କାର୍ଯ୍ୟରେ ଯୋଗଦେବା ସମୟରେ ଗ୍ରାମରେ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା। ଲୋକେ ଡାକ୍ତରୀ ଚିକିତ୍ସା ଉପରୁ ଆସ୍ଥା ତୁଟାଇଦେଇଥିଲେ। ଗାଁ ର ଗର୍ଭବତୀ ମହିଳା ଘରେ ରହି ଚିକିତ୍ସା ହେବା ସହ ସନ୍ତାନ ପ୍ରସବ କରୁଥିଲେ । ଯେଉଁଥିରେ ଅନେକ ମହିଳା ମୃତ୍ୟୁବରଣ କରିଥିଲେ । ଏହାସହ ଗାଁର ଅନେକ ଲୋକେ ମାରାତ୍ମକ ମ୍ୟାଲେରିଆ ସହ ଯକ୍ଷ୍ମା, ରୋଗରେ ପୀଡିତ ହୋଇ ଦେଶୀ ଚିକିତ୍ସା ଉପରେ ଆସ୍ଥା ପ୍ରକଟ କରିଥିଲେ । ତେବେ ସମସ୍ତ ରୋଗୀଙ୍କୁ ମେଡିକାଲ ନେଇ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଡାଲିମ୍ବ ଆରମ୍ଭ କରିଥିଲେ ପ୍ରୟାସ । ତାଙ୍କୁ ଏଥିପାଇଁ ଅନେକ ପ୍ରତିବନ୍ଧକ ଘାତ ପ୍ରତିଘାତର ସାମ୍ମା କରିବାକୁ ପଡିଛି । କିନ୍ତୁ ସମସ୍ତ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଇଁ ଆଗକୁ ବଢି ଚାଲିଥିଲେ ।
ଡାକ୍ତରୀ ଚିକିତ୍ସା ଉପରେ ଭରସା ତୁଟାଇ ଥିବା ଲୋକଙ୍କ ପାଇଁ ପୁଣି ଆଶା ଭରସା ଯୋଗାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେଣୁ ସେଦିନ ରାତି ଏକ କରିଦେଇ ସମସ୍ତ ରୋଗୀଙ୍କ ଘରକୁ ଘର ବୁଲି ବ୍ୟକ୍ତିଗତ ଭାବେ ତାଙ୍କ ଚିକିତ୍ସାରେ ସହାୟତା ଯୋଗାଇଦେଇଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ଭବତୀଙ୍କ ଯତ୍ନ ନେବା ନିୟମିତ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଘରେ ପ୍ରସବ ନ କରିବାକୁ ପ୍ରବର୍ତ୍ତାଇ ସୁରକ୍ଷିତ ମାତୃତ୍ୱର ପ୍ରତଶ୍ରୁତି ଦେଇ ମେଡ଼ିକାକୁ ନେଇ ପ୍ରସବ କରୁଛନ୍ତି । ତାଙ୍କରଙ୍କ ଏହି ପ୍ରୟାସଯୋଗୁ ଗତ ୧୯ ବର୍ଷ ଧରି ଗାଁର ଗର୍ଭବତୀ ମହିଳା ମୃତ୍ୟୁବରଣ କରି ନ ଥିବା ବେଳେ ଦୁରାରୋଗରେ ପୀଡିତ ରୋଗୀ ସୁସ୍ଥ ହୋଇପାରିଛନ୍ତି । ଡାଲିମ୍ବଙ୍କ ଏହି ଉଦ୍ୟମକୁ ସମ୍ମାନ ଜଣାଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଡାଲିମ୍ବ । ଗ୍ରାମବାସୀ କମଳା ମାଳି ଓ ତମ୍ବୁ ଦାସ ପନକା ଡାଳିମ୍ବଙ୍କ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି। କମଳାଙ୍କ ଏହି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ଥିବା ବେଳେ ନିଜ କର୍ତ୍ତ୍ୟବ୍ୟ ନିଷ୍ଠ ମନୋଭାବ ପାଇଁ ପ୍ରଶଂସା ସାଉଁଟୁଛନ୍ତି ।