କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ ଝିଅଙ୍କ ଘରକୁ ଯାଇ ସାକ୍ଷାତ୍‌ କରିଛନ୍ତି। ସେହି ଝିଅଙ୍କ ସହ କ୍ରାଉନ୍‌ ପ୍ରିନ୍ସଙ୍କ ସାକ୍ଷାତ୍‌କାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଦେଶର ରାଜା ଜଣେ ସାଧାରଣ ଝିଅଙ୍କ ଘରକୁ ଯାଇ କାହିଁକି ଦେଖାକରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସୂଚନାମୁତାବକ ଆବୁ ଧାବିରେ ସୌଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ବିନ୍‌ ଅବଦ୍ଦୁଲ ଅଜିଜଙ୍କ ସ୍ବାଗତ ପାଇଁ କିଛି ସ୍କୁଲ ପିଲାଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରେ ଆୟଶା ନାମକ ଜଣେ ଝିଅ ରହିଥିଲେ। ସ୍ବାଗତ ସମାରୋହରେ ଆବୁ ଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ କାରପେଟରେ ଆସୁଥିବା ବେଳେ ଆୟଶା ତାଙ୍କ ସହ ହାତ ମିଳାଇବା ପାଇଁ ଆଗକୁ ହାତ ବଢ଼ାଇଥିଲେ। ହେଲେ ଭିଡ ଯୋଗୁ ସେ ହାତ ମିଳାଇପାରି ନ ଥିବାରୁ ମନଦୁଃଖ କରିଥିଲେ।

ଏନେଇ ପ୍ରିନ୍ସ ଶେଖ ମହମ୍ମଦ ଜାଣିବା ପରେ ଆୟାଶାଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ୍‌ କରିଥିଲେ। ସେହି ସମୟର ଏକ ଫଟୋକୁ ଶେଖ ମହମ୍ମଦ ଟୁଇଟରରେ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, କୁନି ଝିଅ ଆୟଶା ଓ ତାଙ୍କ ପରିବାରକୁ ଭେଟି ବହୁତ ଖୁସି ଅନୁଭବ କଲି। ତେବେ କ୍ରାଉନ୍‌ ପ୍ରିନ୍ସଙ୍କ ଏହି ଉଦାରତାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଏହା ଦେଶ ତଥା ଦେଶବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହୋଇଛି। ଅନ୍ୟପଟେ ଶେୟାର ହେବାର କିଛି ସମୟ ମଧ୍ୟରେ ଏହି ଫଟୋକୁ ଲକ୍ଷାଧିକ ଲାଇକ୍‌ ମିଳିବା ସହ ୫ହଜାର ଥର ରିଟୁଇଟ କରାଯାଇଥିବା ଜଣାପଡ଼ିଛି।

Share