କାହିଁକି ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍‌ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ। କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ। ତେଣୁ ଶାସ୍ତ୍ରୀୟ ମତରେ ବିଭିନ୍ନ କାରଣକୁ ନେଇ ଏହି ଦୀପାବଳି ଉତ୍ସବ ପାଳନ କରାଯିବାର ବିଧି ରହିଛି।

Share