Categories: ଖେଳ

କାହିଁକି ବିଶ୍ରାମ ନେଲେ ଆୟାର ଓ ଦୁବେ

ମୁମ୍ବାଇ, ୨୮।୧୨- ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ଅପେକ୍ଷାକୃତ ରେଲ୍‌ଓ୍ବେଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଶ୍ରେୟାସ ଆୟାର ଓ ଶିବମ ଦୁବେଙ୍କ ଉପରେ ବହୁ ପ୍ରଶ୍ନ ଉଠିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଆୟାର ଓ ଦୁବେ ୨୫ ତାରିଖରୁ ଆରମ୍ଭ ହୋଇଥିବା ରେଲଓ୍ବେ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ। କୌତୁହଳର କଥା ଯେ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କଟକ ମ୍ୟାଚ୍‌ ଖେଳିଥିବା ପେସର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଦଳର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଦୁବେ ଦିନିକିଆ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିଲେ। ଏହାସତ୍ତ୍ୱେ ସେ କାହିଁକି ବିଶ୍ରାମ ନେଲେ ଏହା ବଡ଼ ପ୍ରଶ୍ନ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ଟୁଇଟ୍‌ କରି ଲେଖିଛନ୍ତି, ମୁମ୍ବାଇ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଆୟାର ଓ ଦୁବେ ଦଳର ଅଂଶ ନ ଥିବାରୁ ଦୁଃଖିତ। ଅନ୍ତର୍ଜାତୀୟ ମ୍ୟାଚ୍‌ର ୫ ଦିନ ପୂର୍ବରୁ ମଧ୍ୟ ସେମାନେ ଖେଳୁ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ମୁମ୍ବାଇ ଓପନର ଶିଶିର ହାତାଙ୍ଗାଡି ଟୁଇଟ୍‌ କରିଛନ୍ତି, କାହିଁକି ଆୟାର ଓ ଦୁବେ ମୁମ୍ବାଇ ରଣଜୀ ମ୍ୟାଚ୍‌ ଖେଳିଲେ ନାହିଁ? କାହାକୁ ପଚାରି ସେମାନେ ବିଶ୍ରାମ ନେଇଛନ୍ତି? ଉଲ୍ଲେଖଥାଉ କି, ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କର୍ନାଟକକୁ ଜାନୁୟାରୀ ୩ ତାରିଖରେ ଭେଟିବ। ଏହି ମ୍ୟାଚ୍‌ରେ ମଧ୍ୟ ଦୁହେଁ ଖେଳିବେ ନାହିଁ। କାରଣ ଏହାର ଦୁଇ ଦିନ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁଆହାଟିଠାରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ଏହି ସିରିଜ୍‌ ଶେଷ ହେବା ପରେ ମଧ୍ୟ ଉଭୟଙ୍କୁ ମୁମ୍ବାଇ ମ୍ୟାଚ୍‌ ପାଇଁ ଚୟନ କରା ନ ଯାଇପାରେ। ସେମାନଙ୍କୁ ଖେଳିବା ଲାଗି କୁହାଯିବାରୁ ବିସିସିଆଇ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କହିଥିଲେ। ମାତ୍ର ବିସିସିଆଇ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରଶ୍ନ ଉଠୁଛି ତାଙ୍କୁ ପରାମର୍ଶ ଦେଲା କିଏ? ଭାରତୀୟ ଦଳର ଫିଜିଓ ନା ଟ୍ରେନର ନା ନିଜ ଇଚ୍ଛାରେ ସେମାନେ ବିଶ୍ରାମ ନେଇଛନ୍ତି? ଏ ସମ୍ପର୍କରେ ପରବର୍ତ୍ତୀ ଆପେକ୍ସ କାଉନ୍‌ସିଲ ବୈଠକରେ ଆଲୋଚନା କରାଯିବ। ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜଣେ ଏମ୍‌ସିଏ କର୍ମକର୍ତ୍ତା କହିଛନ୍ତି।

Share