Categories: ଖେଳ

କାହିଁକି ମୁହଁ ଲୁଚାଇଲେ କୋହଲି

ବେଙ୍ଗାଲୁରୁ,୨୩।୯: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ କ୍ୱିଣ୍ଟନ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଏହି ମ୍ୟାଚ୍‌ ଚାଲିଥିବାବେଳେ ଏଭଳି ଏକ ଘଟଣା ଘଟିଥିଲା, ଯେଉଁ କାରଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମୁହଁ ଲୁଚାଇବାକୁ ପଡିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେଣ୍ଡ୍ରିକ୍ସ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବୋଲିଂ କରୁଥିଲେ ଦୀପକ ଚହର୍‌। ଚହର୍‌ଙ୍କ ଏକ ବଲରେ ଏଲବିଡବ୍ଲୁ ଆଉଟ୍‌ ଅପିଲ୍‌ କରିଥିଲେ ମଧ୍ୟ ଅମ୍ପାୟାର୍‌ ଏହାକୁ ଦେଇ ନ ଥିଲେ। ଉଇକେଟକିପର୍‌ ଋଷଭ ପନ୍ତଙ୍କ କହିବା ଅନୁଯାୟୀ କୋହଲି ଡିଆରଏସ୍‌ ନେଇଥିଲେ। ତୃତୀୟ ଅମ୍ପାୟାର୍‌ ମଧ୍ୟ ଆଉଟ୍‌ ଦେଇ ନ ଥିଲେ। ଏହି ବଲଟି ଲେଗ୍‌ ଷ୍ଟମ୍ପ୍‌ ସମ୍ପୂର୍ଣ୍ଣ ବାହାରେ ଥିଲେ। କୋହଲି ଡିଆର୍‌ଏସ୍‌ ଅପିଲ୍‌ କରିବାପରେ କମେଣ୍ଟେଟରଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ହସିବାକୁ ଲାଗିଥିଲେ। ତୃତୀୟ ଅମ୍ପାୟାର୍‌ ନିଷ୍ପତ୍ତି ଆସିବା ପରେ ଚହର ମଧ୍ୟ ହସିଥିଲେ। ଏହା ଦେଖି ନିଜ ଟୋପିରେ ମୁହଁ ଲୁଚାଇଦେଇଥିଲେ କୋହଲି।

Share