Categories: ଜାତୀୟ

କିଏ ସେହି ସାଲ୍ଲୁମାରଡା ଥିମ୍ମାକ୍କା, ଯାହାଙ୍କୁ ମନେପକାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ପ୍ରଥମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ଗତବର୍ଷ ଭାଇରାଲ ହୋଇଥିବା ଏକ ଭିଡିଓ ବିଷୟରେ ଆଲୋଚନା କରି କହିଥିଲେ, ଉକ୍ତ ଭିଡିଓରେ ସାରା ଦେଶ ଦେଖିଛି କେମିତି ୧୦୭ ବର୍ଷର ଜଣେ ବୃଦ୍ଧା ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଉଥିବା ଦେଖାଯାଇଥିଲା। ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ସାଲ୍ଲୁମାରଡା ଥିମ୍ମାକ୍କା। କର୍ନାଟକରେ ରହୁଥିବା ୧୦୭ ବର୍ଷର ଏହି ମହିଳା ଜଣଙ୍କ ‘ବୃକ୍ଷ ମାତା’ ଭାବରେ ଜଣାଶୁଣା। ସେ ହଜାର ହଜାର ଗଛ ଲଗାଇ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସିଥିବା ଥିମ୍ମାକ୍କଙ୍କ ଏଭଳି ଯୋଗଦାନ ପାଇଁ ତାଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଧରିବା ପରେ ସେ ରାଷ୍ଟ୍ରପତିଙ୍କ ମଥାରେ ହାତ ରଖି ଆଶୀର୍ବାଦ ଦେଇଥିଲେ। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଟୁଇଟରେ ଥିମ୍ମାକ୍କାଙ୍କ ବିଷୟରେ ଆଲୋଚନା କରିଥିଲେ।

Share