କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର ସଚ୍ଚିନ ତେନ୍ଦୁଲକର, ଏମ୍‌.ଏସ୍‌ ଧୋନୀ, କପିଲ ଦେବଙ୍କ ପରେ ଏବେ ଶ୍ରୀଲଙ୍କାର ବରିଷ୍ଠ ସ୍ପିନ୍‌ ବୋଲର ମୁଥେୟା ମୁରଲିଧରନଙ୍କ ଉପରେ ତାମିଲରେ ଏକ ଫିଲ୍ମ କରାଯାଉଥିବା ଶୁଣିବାକୁ ମିଳିଛି। ତାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନାଁ ହେଉଛି ‘୮୦୦’। କ୍ରିକେଟ କ୍ୟାରିୟରେ ମୁରଲିଧରନ ନେଇଥିବା ଓ୍ବିକେଟକୁ ନେଇ ଏହି ଫିଲ୍ମର ଏଭଳି ନାମକରଣ କରାଯାଇଥିବା ଜଣାପଡ଼ିଛି। ଏମ୍‌.ଏସ୍‌. ଶ୍ରୀପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ର ସୁପରଷ୍ଟାର ବିଜୟ ସେଥୁପତି ମୁରଲୀଧରନଙ୍କ ଚରିତ୍ରରେ ନଜର ଆସିବେ। ହାଇ ବଜେଟରେ ତିଆରି କରାଯାଉଥିବା ଏହି ଫିଲ୍ମର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ। ଏହା ଭାରତ, ଶ୍ରୀଲଙ୍କା, ଇଂଲଣ୍ଡ ଓ ବିଶ୍ୱର ଅନ୍ୟ ସ୍ଥାନଗୁଡିକରେ କରାଯିବ। ଏହି ଫିଲ୍ମକୁ ତାମିଲ ଭାଷାରେ କରାଯାଉଥିବା ବେଳେ ଏହାକୁ ବିଶ୍ୱରେ ଅନ୍ୟ ଭାଷାରେ ରିଲିଜ୍‌ କରାଯିବ ବୋଲି ସୂଚନା ମିଳିଛି। ଏହି ଫିଲ୍ମକୁ ନେଇ ମୁରଲିଧରନ ବେଶ୍‌ ଉତ୍ସାହିତ ଥିବା ବେଳେ ସେ ସମ୍ମାନିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ମୁରଲିଧରନଙ୍କ ଭାରତ ସହ ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ତାଙ୍କର ପୂର୍ବପୁରୁଷ ଦକ୍ଷିଣ ଭାରତ ଥିବା ବେଳେ ତାଙ୍କ ସ୍ତ୍ରୀ ଚେନ୍ନାଇର ବୋଲି ଜଣାପଡ଼ିଛି।