‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ ‘କିକ୍‌’ ରିଲିଜ ହୋଇଥିଲା ଏବଂ ଫିଲ୍ମ ନିର୍ମାତା ସାଜିଦ୍‌ ନାଡିଆଡ୍‌ଓ୍ବାଲା ଉକ୍ତ ଫିଲ୍ମର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଥିବା ବିଷୟ ଶେୟାର କରିଛନ୍ତି। କିକ୍‌ ୫ବର୍ଷ ତଳେ ରିଲିଜ ହୋଇଥିଲା। ତେବେ ଏହାର ଦ୍ୱିତୀୟ ଭାଗ ନିର୍ମାଣ ପାଇଁ କାହାଣୀ ଲେଖା ଚାଲୁରହିଛି ବୋଲି ନାଡିଆଡ୍‌ଓ୍ବାଲା ପ୍ରକାଶ କରିଛନ୍ତି। ଏଥିରେ ଡେଭିଲ (ଦେବୀ ଲାଲ୍‌ ସିଂ) ଭୂମିକାରେ ଅଭିନୟ କରିଥିବା ସଲମାନ୍‌ ପୁଣି ଦ୍ୱିତୀୟ ଭାଗକୁ ଫେରୁଛନ୍ତି। କିକ୍‌ର ପ୍ରଥମ ଭାଗରେ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌, ରଣଦୀପ ହୁଡା ଏବଂ ନଓ୍ବାଜିଦିନ ସିଦିକ୍‌ ଅଭିନୟ କରିଛନ୍ତି। କିକ୍‌ର ଦ୍ୱିତୀୟ ଭାଗର କାହାଣୀ ଖୁବ୍‌ ଆକର୍ଷଣୀୟ କରିବାକୁ ଚାହଁୁଥିବାରୁ ସାଜିଦ ଏବଂ ତାଙ୍କ ରାଇଟିଙ୍ଗ୍‌ ଟିମ୍‌ ଧୀରେସୁସ୍ଥେ କାହାଣୀ ଲେଖୁଥିବା ତାଙ୍କ ନିକଟତମ ସୂତ୍ରରୁ ଜାଣିବାକୁ ମିଳିଛି। ବର୍ତ୍ତମାନ ଫିଲ୍ମ ନିର୍ମାତା ଚଳଚ୍ଚିତ୍ରର କାହାଣୀ ଉପରେ ନିର୍ଭର କରୁଛନ୍ତି। ଏହା ଯେତେଶୀଘ୍ର ଶେଷ ହେବ କଳାକାର ଟିମ୍‌ ସେତେ ଶୀଘ୍ର ଶୁଟିଂସେଟ୍‌କୁ ଯିବେ। କାହାଣୀକୁ ଭିତ୍ତିକରି ଶୁଟିଂସ୍ଥଳ ସ୍ଥିର କରାଯିବ। କିକ୍‌ର ପ୍ରଥମ ଭାଗ ଭଳି ଦ୍ୱିତୀୟ ଭାଗର ଶୁଟିଂ ମଧ୍ୟ ଦେଶ ଓ ଦେଶ ବାହାରେ ହେବ। ସଲମାନ୍‌ଙ୍କ ବ୍ୟତୀତ ଅନ୍ୟ କଳାକାରମାନଙ୍କୁ ଖୁବ୍‌ଶୀଘ୍ର ଚୟନ କରାଯିବ।

Share