Categories: ଖେଳ

କିଟ୍‌ ଇଣ୍ଟରନାଶନାଲ ଚେସ୍‌ ଫେଷ୍ଟିଭାଲ ଆରମ୍ଭ

ଭୁବନେଶ୍ୱର, ୨।୬(ସ୍ପୋଟର୍‌ସ ବ୍ୟୁରୋ)- ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ-୨୦୧୯ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଓ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଓ ବିଶ୍ୱ ଚେସ୍‌ ଫେଡେରେଶନର ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତା ୭ ପର୍ଯ୍ୟନ୍ତ ଚାଲିବ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ଚେସ୍‌ ଆସୋସିଏଶନର ସଭାପତି ଦେବାଶିଷ ସାମନ୍ତରାୟ, ସର୍ବଭାରତୀୟ ଚେସ୍‌ ଫେଡେରେଶନର ସମ୍ପାଦକ ଭଗତ୍‌ ସିଂ ଚୌହାନ, କୋଲକାତାସ୍ଥିତ ସାଇର ନିର୍ଦ୍ଦେଶକ ମନ୍‌ମିତ୍‌ ଏସ୍‌ ଗୋଇନ୍ଦି, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଶେଖର ଚନ୍ଦ୍ର ସାହୁ, ଅଲିମ୍ପିଆନ ଦୂତୀ ଚାନ୍ଦ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କ୍ୟାଟାଗୋରି-ଏ’ର ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଓଡ଼ିଶାର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ଇଣ୍ଟୁରିଜାଜାଗା ବୋନେଲି ଡଡୁରାଡୋ (ଭେନେଜୁଏଲା), ଆମୋନଟୋଭ ଫାରୁଖ (ତାଜାକିସ୍ତାନ), ତେରଶାହକ୍ୟନ ସାମଭେଲ (ଆର୍ମେନିଆ), ତୁରଭ ମାକ୍ସିମ (ରୁଷିଆ), ପେଟ୍ରୋଜ୍ୟାନ ମାନୁଏଲ (ଆର୍ମେନିଆ), ନେଭେରୋଭ ଭାଲେରିଆ (ୟୁକ୍ରେନ) ପ୍ରମୁଖ ବିଜୟ ଲାଭ କରିଛନ୍ତି। ସେହିଭଳି କ୍ୟାଟାଗୋରୀ-ବି’ରେ ଓଡ଼ିଶାର ସାର୍ଥକ ଦେବତା, ସଞ୍ଜୀବନ ନାୟକ, ଦାଶରଥୀ ସାହୁ, କିସର ବୀରେନ୍ଦ୍ର ରାଇତା ବିଜୟ ହାସଲ କରିଛନ୍ତି।
ସମେତ ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆରମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନେଲଜୁଏଲା, ରୁଷ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଭିଏତ୍‌ନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ବିଶ୍ୱର ୩୦ ଦେଶରୁ ହଜାରେରୁ ଊର୍ଦ୍ଧ୍ୱ ଗ୍ରାଣ୍ଡମାଷ୍ଟର୍ସ, ଇଣ୍ଟର ନ୍ୟାଶନାଲ ମାଷ୍ଟର୍ସ, ମହିଳା ଗ୍ରାଣ୍ଡମାଷ୍ଟର୍ସ, ମହିଳା ଇଣ୍ଟରନ୍ୟାଶନାଲ ମାଷ୍ଟର୍ସ ପ୍ରମୁଖ ଏହି ଚେସ୍‌ ଫେଷ୍ଟିଭାଲରେ ଯୋଗଦେଇଛନ୍ତି। ଚଳିତ ବର୍ଷ ସର୍ବାଧିକ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଛି। ୟେଲୋ ରେଟିଂଭିତ୍ତିକ ୩ଟି କ୍ୟାଟାଗୋରୀରେ ଏହି ଟୁର୍ନାମେଣ୍ଟ ଖେଳାଯାଉଛି। ଇଣ୍ଟରନ୍ୟାଶନାଲ ଆର୍ବିଟର ଅନନ୍ତରାମଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ପରିଚାଳିତ ହେବ। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଚେସ୍‌ ଫେଷ୍ଟିଭାଲ ଏବେ ବିଶ୍ୱର ଏକ ପ୍ରମୁଖ ପ୍ରତିଯୋଗିତା ଭାବେ ବେଶ୍‌ ନାମ ଅର୍ଜନ କରିଛି।

Share