Categories: ଖେଳ

କିଟ୍‌ ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ରଗ୍‌ବୀରେ ଆୟୋଜକ କିଟ୍‌ ବାଜି ମାରିଛି। କିଟ୍‌ ମହିଳା ଦଳ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ କିଟ୍‌ ୩୧-୭ ଗୋଲରେ ପାଟଳିପୁତ୍ର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। କିଟ୍‌ ପକ୍ଷରୁ ପ୍ରଥମାର୍ଦ୍ଧରେ ରଜନୀ ଓ ବାସନ୍ତି ୫ଟି ଲେଖାଏ ଏବଂ ଦୁମିନି ୨ଟି ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ କିଟ୍‌ ୧୨-୭ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ବିଜୟୀ ଦଳ ପକ୍ଷରୁ ହୁପି ମାଝି ୧୦(୫+୫) ଏବଂ ଦୁମିନି ୯(୨+୫+୨) ଗୋଲ ସ୍କୋର କରିଥିଲେ। ଟାଇଟଲ ଜିତିବାପରେ ମହିଳା ଖେଳାଳିମାନେ କିଟ୍‌ର ଅନ୍ୟ ପିଲାଙ୍କ ସହ ଖୁସି ମନାଇଥିଲେ। ଲଭ୍‌ଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟକୁ ବ୍ରୋଞ୍ଜ ପଦକ ମିଳିଥିଲା।
ପୁରୁଷ ଦଳକୁ ବ୍ରୋଞ୍ଜ
କିଟ୍‌ ପୁରୁଷ ଦଳ କିନ୍ତୁ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପ୍ଲେ-ଅଫ୍‌ରେ କିଟ୍‌ ଦଳ ୩୨-୦ ଗୋଲରେ ଏଲପିୟୁ ଫଗଓ୍ବାରାକୁ ପରାସ୍ତ କରିଥିଲା। ଦଳ ପକ୍ଷରୁ ପ୍ରଥମାର୍ଦ୍ଧରେ ଅଜିତ କୁମାର, ସୁଗୁଦା ୫ ଓ ଗୌରାଙ୍ଗ ୫ଟି ଲେଖାଏ ଗୋଲ ଦେଇଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ଗୌରାଙ୍ଗ ୫ ଏବଂ ଅଜିତ କୁମାର ୧୨(୫+୫+୨) ଗୋଲ ସ୍କୋର କରିଥିଲେ। ଫାଇନାଲରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟକୁ ୨୪- ୧୯ ଗୋଲରେ ହରାଇ ଶିବାଜୀ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲା।

Share