କିଡ୍‌ନୀ ଅଦଳବଦଳ ବଞ୍ଚାଇଲା ୨ ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରତିବର୍ଷ ଭାରତରେ ପ୍ରାୟ ୧୦ଲକ୍ଷ ଲୋକ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି) ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ୨ରୁ ୩ଲକ୍ଷ କିଡ୍‌ନୀ ପ୍ରତିରୋପଣ ଆବଶ୍ୟକତା ହେଉଥିବା ବେଳେ ମାତ୍ର ୬,୦୦୦ ପ୍ରତିରୋପଣ ସମ୍ଭବ ହୋଇପାରିଥାଏ। ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ପ୍ରତିବନ୍ଧକ ଭାରତରେ ଅଙ୍ଗ ପ୍ରତିରୋପଣ ପାଇଁ ପ୍ରମୁଖ ଆହ୍ବାନ ହୋଇଥିବା ବେଳେ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟରେ ମେଳ ନ ଖାଇବା ଆଉ ଏକ ପ୍ରତିବନ୍ଧକ। ଏ ନେଇ ନେଫ୍ରୋଲୋଜିଷ୍ଟ କନସଲ୍‌ଟାଣ୍ଟ ଡା. ସାଇପ୍ରସାଦ ସାହୁ କହିଛନ୍ତି, ଭାରତରେ ମଧୁମେହ ଓ ହାଇପରଟେନ୍‌ଶନ ଯୋଗୁ ୪୦ରୁ ୬୦ପ୍ରତିଶତ କ୍ରନିକ୍‌ କିଡ୍‌ନୀ ରୋଗ ଦେଖାଯାଇଥାଏ। ଥରେ କିଡ୍‌ନୀ ଫେଲିୟୋର ହେଲେ ଜୀବନବ୍ୟାପୀ ଡାଏଲିସିସ୍‌ କିମ୍ବା କିଡ୍‌ନୀ ପ୍ରତିରୋପଣ କରିବା ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ନିକଟରେ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଡାକ୍ତରମାନେ ଏକ ସ୍ବତନ୍ତ୍ର କିଡ୍‌ନୀ ସ୍ବାପ୍‌ ଟ୍ରାନ୍ସପ୍ଲାଣ୍ଟକୁ ସଫଳତାର ସହ କରିଛନ୍ତି। ଏହା ଏକ ବିରଳ ଅସ୍ତ୍ରୋପଚାର ହୋଇଥିବା ବେଳେ କେନ୍ଦୁଝର ଜିଲା ଟୁକୁନା ଗ୍ରାମର ୩୮ବର୍ଷୀୟ ଗଣେଶ୍ୱର ଶଙ୍ଖୁଆଙ୍କ ଏହି ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ଗଣେଶ୍ୱରଙ୍କର ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତାଙ୍କ ମା’ ତାଙ୍କୁ କିଡନୀ ଦେଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ମାତ୍ର ୪ ବର୍ଷ ପରେ ତାହା ବିଫଳ ହୋଇଥିଲା। ସ୍ତ୍ରୀଙ୍କ ବ୍ଲଡ୍‌ ଗ୍ରୁପ୍‌ ଗଣେଶ୍ୱରଙ୍କ ଗ୍ରୁପ୍‌ ସହ ମେଳ ଖାଉ ନ ଥିବାରୁ ଡାକ୍ତରମାନେ ତାଙ୍କୁ କିଡ୍‌ନୀ ସ୍ବାପ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ। ସମାନ ଅବସ୍ଥା ନରସିଂହପୁରର ୪୦ବର୍ଷ ବୟସ୍କ ସୁଶାନ୍ତ କୁମାର ସାହୁଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ରୋଗୀଙ୍କ ସ୍ତ୍ରୀଙ୍କ କିଡ୍‌ନୀ ପରସ୍ପର ମଧ୍ୟରେ ଅଦଳବଦଳ କରାଯାଇ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା। ୟୁରୋଲୋଜି କନସଲ୍‌ଟାଣ୍ଟ ଏବଂ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ମାନସ ରଞ୍ଜନ ପ୍ରଧାନ ଓ ଡା. ବିଶ୍ୱଜିତ ନନ୍ଦଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ହୋଇଥିଲା। ଉଭୟ ରୋଗୀ ଏବଂ ଦାତା ଏବେ ସୁସ୍ଥ ଥିବାବେଳେ ପୋଷ୍ଟ ସର୍ଜରୀ ନିୟମ ଅନୁଯାୟୀ ପ୍ରଦୂଷିତ ସ୍ଥାନ, କୋଳାହଳ ଜାଗାରୁ ଦୂରେଇ ରହିବାକୁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

Share