କିଡ୍‌ନୀ ରୋଗରେ ପୁଣି ଜଣଙ୍କ ଜୀବନଗଲା

କୁଆମରା,୬।୯(ଡି.ଏନ.ଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡକେଦା ଗ୍ରାମରେ କିଡ୍‌ନୀ ରୋଗରେ ପୁଣି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଜମନ ସିଂ (୨୯) । ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ଜଣଙ୍କ ପରେ ଜଣେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିତ୍ବାରୁ ଗ୍ରାମରେ ଆତଙ୍କ ପ୍ରକାଶ ପାଇଛି। ଗତ ବର୍ଷକ ମଧ୍ୟରେ ଏହି ଗାଁର ୧୦ ଜଣଙ୍କ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଗ୍ରାମରେ ୧୧୦ ପରିବାର ଥିବା ବେଳେ ଲୋକ ସଂଖ୍ୟା ପାଖାପାଖି ୫ ଶହ। ତେବେ ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଉଚ୍ଚ ଚିକିତ୍ସା ପାଇଁ ସେମାନଙ୍କ ପାଖରେ ଅର୍ଥ ପ୍ରତିବନ୍ଧକ ସାଜୁଛି। ଗତ ଏପ୍ରିଲ ମାସରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ମାତ୍ର ଅଦ୍ୟାବଧି ଏ ନେଇ କୌଣସି ରିପୋର୍ଟ ପହଞ୍ଚି ନାହିଁ। ବୁଧବାର ସନ୍ଧ୍ୟାରେ ଭଜମନଙ୍କର ମୃତ୍ୟୁ ଘଟିବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭଜମନ ଜଣେ ରାଜ ମିସ୍ତ୍ରୀ ଭାବେ କାମ କରୁଥିଲେ। ଭଜମନଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।