କିଡ୍‌ନୀ ରୋଗ ବିଶ୍ୱ ପାଇଁ ଚିନ୍ତାର ବିଷୟ

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ଅର୍ଥାତ ୧୨ତାରିଖରେ ବିଶ୍ୱ କିଡ୍‌ନୀ ଦିବସ ପାଳନ କରାଯାଉଛି। ୨୦୨୦ର ମନ୍ତ୍ର ହେଉଛି,‘କିଡ୍‌ନୀର ସ୍ବାସ୍ଥ୍ୟ ସମସ୍ତଙ୍କ ପାଇଁ ଓ ସବୁ ସ୍ଥାନରେ’। କିଡ୍‌ନୀର ଯନତ୍ କେମତି ନିଆଯାଏ ଏବଂ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ସମସ୍ତଙ୍କୁ ଏହି ଦିବସରେ ଅବଗତ କରାଯାଏ। ସାଧାରଣ ପରୀକ୍ଷା ମାଧ୍ୟମରେ କିଡ୍‌ନୀ ରୋଗକୁ ଯେମିତି ଜାଣିହେବ , ତାହା ଛୋଟ ଛୋଟ ଡାକ୍ତରଖାନାରେ ଉପଲବ୍ଧ ହେବା ଦରକାର। ଯାହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗ ନିରୂପଣ କରିବା ସହଜ ହୋଇପାରିବ।
ସାରା ବିଶ୍ୱରେ ୮୫ କୋଟି ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ୮୦୦ ଜଣ ଏହି ରୋଗରେ ପୀଡିତ। ଏଥିମଧ୍ୟରୁ ୧୫୦ରୁ ୨୩୦ ଜଣ ଡାଏଲିସିସ୍‌ କିମ୍ବା କିଡ୍‌ନୀ ପ୍ରତିରୋପଣ ଆବଶ୍ୟକ କରୁଛନ୍ତି। ପ୍ରତିବର୍ଷ ୧ ଲକ୍ଷ ଲୋକ ‘ଏଣ୍ଡ ଷ୍ଟେଟ୍‌ କିଡ୍‌ନୀ’ ରୋଗରେ ପୀଡିତ ହେବା ଲକ୍ଷ୍ୟକରାଯାଉଛି, ଯେଉଁମାନଙ୍କ କିଡ୍‌ନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଉଛି। ଏଣୁ ସାମ୍ପ୍ରତିକ ସମୟରେ ଏତେ ସଂଖ୍ୟକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ବିଶ୍ୱ ପାଇଁ ଚିନ୍ତାର ବିଷୟ।
କିଡ୍‌ନୀ ସମ୍ପୂର୍ଣ୍ଣ ଖରାପ ହୋଇଗଲେ ଏହାର କେବଳ ପ୍ରତିକାର ହେଉଛି ଡାଏଲିସିସ କିମ୍ବା କିଡ୍‌ନୀ ପ୍ରତିରୋପଣ । ଏଣୁ କିଡ୍‌ନୀ ରୋଗ ନ ହେବା ପାଇଁ ପ୍ରତିଷେଧକ କିମ୍ବା ରୋଗ ହେଲେ ତତ୍‌କ୍ଷଣାତ ନିରୂପଣ କରି ଚିକିତ୍ସା କରିବା ଉପରେ ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଏ। ଉଚ୍ଚରକ୍ତ ଚାପ , ଡାଇବେଟିସ ୪୦ରୁ ୬୦ ପ୍ରତିଶତ କିଡ୍‌ନୀ ରୋଗର ମୁଖ୍ୟ କାରଣ। ଅନ୍ୟ ରୋଗ ଯଥା,ଗ୍ଲୋମେରୁଲୋନେଫ୍ରାଇଟିସ, କିଡ୍‌ନୀ ଷ୍ଟୋନ୍‌ ଡିଜିଜ, ଏଡିପିକେଡି, ସିକେଡି ଅଫ୍‌ ଅନ୍‌ନୋନ୍‌ ଅରିଜିନ ଆଦି କିଡ୍‌ନୀ ରୋଗର କାରଣ ହୋଇପାରେ। ଗୋଡ଼ ଓ ମୁହଁ ଫୁଲିବା,ପରିସ୍ରାରେ ଫେଣ ହେବା, କମ୍‌ ବ୍ରୟସ୍କ ବ୍ୟକ୍ତିଙ୍କୁ ଉଚ୍ଚରକ୍ତଚାପ, ଅଣନିଃଶ୍ୱାସୀ ଲାଗିବା,ରକ୍ତହୀନତା,ବାନ୍ତି ଲାଗିବା, ବାନ୍ତି ହେବା, ଭୋକ ନ ଲାଗିବା, ଦୁର୍ବଳତା, ଗଣ୍ଠିବ୍ୟଥା, ଦେହ କୁଣ୍ଡାଇ ହେବା ଆଦି ଲକ୍ଷଣ ଏହି ରୋଗର ଲକ୍ଷଣ। କିଡ୍‌ନୀ ରୋଗ ଆରମ୍ଭରେ ରୋଗୀ ପାଖରେ ଲକ୍ଷଣ ପ୍ରାୟ ନ ଥାଏ। ରୋଗୀ ଅନ୍ୟ ରୋଗ ଲାଗି ପରୀକ୍ଷା କରିବା ସମୟରେ କିଡ୍‌ନୀ ଖରାପ ହେବା ଜଣାପଡିଥାଏ। ଏହି କାରଣରୁ ରୋଗ ନିରୂପଣ କରିବାରେ ବିଳମ୍ବ ହୋଇଯାଏ। ଅଧିତ୍କାଂଶ ରୋଗୀଙ୍କର ରୋଗ ନିରୂପଣ ବେଳକୁ ୫୦ ପ୍ରତିଶତ କିଡ୍‌ନୀ ଖରାପ ହୋଇସାରିଥାଏ। ଏଣୁ ଏହି ରୋଗ ପ୍ରତି ସତର୍କ ରହି ପ୍ରୋଟିନ ଟିସ୍ୟୁ,ରକ୍ତରେ ୟୁରିଆ,କ୍ରିଏଟିନିନ୍‌, ଅଲଟ୍ରାସାଉଣ୍ଡ ଆଦି ପରୀକ୍ଷା ମାଧ୍ୟମରେ ଏହାକୁ ନିରୂପଣ କରି ତୁରନ୍ତି ଚିକିତ୍ସା କରିବା ଉଚିତ। ଆମକୁ କିଡ୍‌ନୀକୁ ସୁସ୍ଥ ରଖିବା ଲାଗି ଯନତ୍ବାନ ହେବାକୁ ପଡିବ। ଏଥିପାଇଁ ଓଜନ କମାନ୍ତୁ। ଡାଇବେଟିସ ଥିଲେ ଏଚ୍‌ବିଏ-୧ ସି, ପରିସ୍ରାରେ ମାଇକ୍ରୋ ଆଲବୁମିନ୍‌, ସିରମ୍‌ କ୍ରିଏଟିନିନ୍‌ ଆଦି ବର୍ଷକୁ ଥରେ ପରୀକ୍ଷା କରନ୍ତୁ। କୋଲେଷ୍ଟ୍ରରଲ ନିୟନ୍ତ୍ରଣ କରନ୍ତୁ। ଦିନକୁ ୨-୩ ଲିଟର ପାଣି ପିଅନ୍ତୁ। ସବୁଜ ପରିବା ଖାଆନ୍ତୁ। ଧୂମପାନ ବନ୍ଦ କରନ୍ତୁ। ଅଧିକ ୟୁରିକ ଏସିଡ୍‌ ଥିଲେ କମ୍‌ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।